କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ସରକାରୀ ହେବ

ଖୁବଶୀଘ୍ର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବେ : ଉଚ୍ଚଶିକ୍ଷା ମନ୍ତ୍ରୀ
କେନ୍ଦ୍ରାପଡ଼ା, ୧୫/୦୧/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ଖୁବଶୀଘ୍ର ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । କେନ୍ଦ୍ରାପଡ଼ା ଜିଲାକୁ ବୁଧବାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅବସରରେ ସେ ଏହି ଘୋଷଣା କରିଛନ୍ତି । ସେହିପରି ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ତୁରନ୍ତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଘୋଷଣା କରିଥିଲେ । କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହା ଓଡ଼ିଶାର ସର୍ବବୃହତ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ । ହେଲେ ଏହାକୁ ସରକାରୀ ମାନ୍ୟତା ମିଳୁ ନଥିବାରୁ ଏହାର ବିକାଶ ବାଧାପ୍ରାପ୍ତ ହେଉଥିଲା । ସେହିପରି ଏଠାରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଦୀର୍ଘ ଦିନ ହେବ ଇନ୍ଦୁପୁର ବିରୁପା ମହାବିଦ୍ୟାଳୟର ଅଧ୍ୟକ୍ଷ କାମଚଳା ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିଛନ୍ତି । ତେଣୁ ମହାବିଦ୍ୟାଳୟର ବିକାଶରେ ଅନ୍ତରାୟ ସୃଷ୍ଟି ହେଉଛି । ଏହି ମହାବିଦ୍ୟାଳୟ ପ୍ରଥମେ ସରକାରୀ ମହାବିଦ୍ୟାଳୟରେ ପରିଣତ ହେବା ପରେ ଏହାକୁ ଏକ ବିଶ୍ୱବିଦ୍ୟାଳୟ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କହିଥିଲେ । ଏ ନେଇ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସ୍ମାରକପତ୍ର ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ସ୍ମାରକପତ୍ର ପ୍ରଦାନ ବେଳେ ପୁରାତନ ଛାତ୍ର ଚିତରଞ୍ଜନ ଦାସ, ଭାଗୀରଥୀ ଜେନା, ପ୍ରତାପ ମହାନ୍ତି, ମୀର ମୁର୍ସିଦ, ନିରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *