କେଳୁଚରଣ କୀର୍ତ୍ତି ଶତକମ୍ : ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ

ଗୁରୁ କେଳୁଚରଣଙ୍କ ସମ୍ପୂର୍ଣ୍ଣ ଜୀବନ ଓଡ଼ିଶୀ ନୃତ୍ୟ ପ୍ରତି ସମର୍ପିତ ଥିଲା: ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୦୮/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ “କେଳୁଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେଉଛି।

ଆଜି ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଓଡ଼ିଶୀ ନୃତ୍ୟକୁ କେବଳ ଏକ ନୃତ୍ୟଶୈଳୀ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଅନୁଭୂତି ଭାବେ ଉପସ୍ଥାପନ କରୁଥିଲେ ଗୁରୁ କେଳୁ ଚରଣ ମହାପାତ୍ର। ଓଡ଼ିଶୀ ନୃତ୍ୟ ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା। ଗୁରୁଜୀଙ୍କ କଳା ଓ ସାଧନା ଓଡ଼ିଶୀ ନୃତ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି। ସେହି ମହାନ କଳା ସାଧକ ପଦ୍ମ ବିଭୂଷଣ ଗୁରୁ କେଳୁଚରଣଙ୍କ ପାଦପଦ୍ମରେ ମୁଁ ମୋର ଭକ୍ତିଅର୍ଘ୍ୟ ଅର୍ପଣ କରିବା ସହ ଆମେ ସମସ୍ତେ ଗୁରୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶୀ ନୃତ୍ୟର ବିକାଶ ଏବଂ ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା”, ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୂରଜ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନୀ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ଲୋକାର୍ପଣ କରିଥିଲେ। ଏଥିସହ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନୀକୁ ଆଧାର କରି ହୋଇଥିବା ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।

ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜ୍‌ମାଦି, ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି, ପଦ୍ମଶ୍ରୀ ମାଧବୀ ମୁଦ୍‌ଗଲ, ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଗୁରୁ କେଳୁଚରଣଙ୍କ ସ୍ମୃତିଚାରଣ କରିବା ସହ ଗୁରୁଜୀଙ୍କ ସହ ରହିଥିବା ଅନୁଭୂତି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଓଡ଼ିଶୀ ନୃତ୍ୟଗୁରୁ ବିଷ୍ଣୁତତ୍ତ୍ୱ ଦାସ “ଦିନେ ନ ଡ଼ାକିବୁ ରାଧିକା ବୋଲି”ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *