(ପୁରସ୍କୃତ ହେବେ ଯୁବ ଗବେଷକ ଡକ୍ଟର ଚନ୍ଦ୍ରଶେଖର ହୋତା ଓ ଯୁବ କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ)
କଟକ,୦୮/୦୧/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା ): ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରତିବର୍ଷ ଆୟୋଜନ କରାଯାଉଥିବା ଯୁବ ସାରସ୍ୱତ ସମାରୋହ ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ଜୟନ୍ତୀ ଦିବସରେ ୧୨ ତାରିଖ ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେବ । ଏହି ଅବସରରେ ବିଶିଷ୍ଟ ଯୁବ ଗବେଷକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତାଙ୍କୁ ‘ମହାତ୍ମା ନାଥବ୍ରହ୍ମ ଯୁବ ଗବେଷକ ପୁରସ୍କାର’ ଓ ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ଡାକ୍ତର ଅନୁରାଧା ପାଣିଗ୍ରାହୀଙ୍କୁ ‘କଳ୍ପନା ବଳ ଯୁବ କଣ୍ଠଶିଳ୍ପୀ ପୁରସ୍କାର’ ପ୍ରଦାନ କରାଯିବ ।


ସୂଚନାଯୋଗ୍ୟ ଯେ, ଡକ୍ଟର ହୋତା ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିଲେ । ସେ ‘କଳ୍ପନା, ଅନୁଭବ ଓ ସାହିତ୍ୟ’, ‘ଚେତନାର ଅନ୍ୱେଷଣ’, ‘ବିବେକ ବିଲୋଚନ’ ଆଦି ପ୍ରବନ୍ଧ ପୁସ୍ତକର ସଫଳ ସ୍ରଷ୍ଟା । ସେହିପରି ଡାକ୍ତର ଅନୁରାଧା ଜଣେ ଉଦୀୟମାନ ଯୁବ କଣ୍ଠଶିଳ୍ପୀ, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି ।
ବୁଧବାର ସନ୍ଧ୍ୟାରେ ବିଚାରକମାନଙ୍କ ସୁପାରିଶ ଆଧାରରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ଉପରୋକ୍ତ ଦୁଇ ପ୍ରତିଭାଧାରୀଙ୍କୁ ପୁରସ୍କୃତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଓ ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।
