ପରିସ୍ଥିତି ନସୁଧୁରିଲେ ଏସପି କାର୍ଯ୍ୟାଳୟ ଘେରିବ ବିଜେଡି
କେନ୍ଦ୍ରାପଡ଼ା,୦୭/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ଅବସ୍ଥାକୁ ଚାଲି ଯାଇଛି । ପରିସ୍ଥିତି ନ ସୁଧୁରିଲେ ଆସନ୍ତା ୧୬ ତାରିଖରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ଧମକ ଦେଇଛି । ଏ ନେଇ ବିଜେଡିର ଏକ ପ୍ରତିନିଧି ଦଳ ଏସପି ଓ ଜିଲାପାଳଙ୍କୁ ଭେଟି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ସେହିପରି ରାଜନଗର ବ୍ଲକରେ ମହିଳା ବିଡିଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଏସପି ଓ ଜିଲାପାଳଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଥିଲା ।
ଆଲୋଚନା ଶେଷ ହେବା ପରେ ବିଜେଡି ଜିଲା ସଭାପତି ଶିବପ୍ରସାଦ ଭଳ ଗଣମାଧ୍ୟକୁ କହିଲେ କେନ୍ଦ୍ରାପଡ଼ା ଜିଲାରେ ପୋଲିସ ସରକାରୀ ଦଳର ଏଜେନ୍ଟ ସାଜିଛନ୍ତି । ପୋଲିସ ଲୋକଙ୍କ ସେବା କରିବାକୁ ନିଯୁକ୍ତ ହୋଇ ନାହାନ୍ତି । ସରକାରୀ ଦଳର ନେତାମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେଥିପାଇଁ ପୋଲିସ ଦିନରାତି ଏକକାର କରି ଦେଉଛନ୍ତି । ସାଧାରଣ ଲୋକ ଏପରିକି ସରକାରୀ ଅଧିକାରୀ ତଥା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜନଗର ବିଡିଓଙ୍କୁ ବିଜେପି ନେତା ଲଳିତ ବେହେରା ଆକ୍ରମଣ କରିଥିଲେ ମଧ୍ୟ ପୋଲିସ ସେହି ଘଟଣାରେ ନିରବଦ୍ରଷ୍ଟା ସାଜିଛି । ଯଦି ଅନ୍ୟ କେହି ବିଡିଓଙ୍କ ଉପରେ ଆକ୍ରମଣ କରିଥାନ୍ତେ ତାହା ହେଲେ ଅଭିଯୁକ୍ତ ଏବେ ଜେଲରେ ଥାଆନ୍ତେ ।
ତାହା ହେଲେ ରାଜନଗରର ବିଜେପି ନେତା ଲଳିତ ବେହେରାଙ୍କ ପାଇଁ କ’ଣ ସମ୍ବିଧାନର ଅନ୍ୟ ପ୍ରକାର ଆଇନ୍ ଲେଖା ଯାଇଛି କି ବୋଲି ସେ କହିଥିଲେ । ଭାରତୀୟ ସମ୍ବିଧାନ ଅନୁଯାୟୀ ଆଇନ୍ ଆଗରେ ଆମେ ସମସ୍ତେ ସମାନ । ଯିଏ ଦୋଷ କରିବ ସେ ଦଣ୍ଡ ପାଇବ । ଯଦି ସାଧାରଣ ଲୋକଟେ ଦୋଷ କରୁଛି ପୋଲିସ ତାକୁ ସେଙ୍ଗ ସେଙ୍ଗ ବାନ୍ଧି ନେଉଛି । ହେଲେ ବିଜେପି ନେତା ଲଳିତ ବେହେରା କ୍ଷେତ୍ରରେ ପୋଲିସ ଆଇନ୍ କୁ ଦଳି ମକଚି ଦେଉଛି । ରାଜନଗର ପୋଲିସ ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛି ବୋଲି ବିଜେଡି ଜିଲା ସଭାପତି ଶ୍ରୀ ଭଳ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ରାଜନଗର ବିଧାୟକ ଧ୍ରୁବ ସାହୁ, ଆଳି ବିଧାୟକ ପ୍ରତାପ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ବ୍ଲକ ଉପାଧ୍ୟକ୍ଷା ପ୍ରତାପ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
