ପାଟକୁରା, ୦୭/୦୧/୨୦୨୬ (ଓଡିଶା ସମାଚାର )-ଶନିବାର ପବିତ୍ର ପୌଷ ପୁର୍ଣିମାରେ ଗରଦପୁର ବ୍ଳକ ବେଡାରୀ ଗ୍ରାମପଞ୍ଚାୟତ ପରକଣା ଗ୍ରାମରେ ମା ପୁଷ୍ୟାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ସନ୍ଧ୍ୟାରେ ନାମସଂକିର୍ତନ, ଶ୍ରଦ୍ଧାଳୁ ମାନଙ୍କ ହରିବୋଲ, ହୁଳହୁଳି ମଧ୍ୟରେ ଜଗତଜନନୀ ମା ପୁଷ୍ୟାଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ଲକ୍ଷ୍ମୀ ପୂଜା ମଣ୍ଡପରେ ମା ଲକ୍ଷ୍ମୀଙ୍କ ମୃଣୟୀ ମୂର୍ତ୍ତୀ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜାରେ ବେଶ ଆକର୍ଷଣୀୟ ଭାବେ ଶୋଭା ପାଉଛନ୍ତି ।
ଗ୍ରାମର ସମସ୍ତଙ୍କ ଘର ଆଗରେ ଝୋଟି ର ଚିତା ପଡିଛି, ଘର ଆଗରେ କଳସ ବସିଛି, ଗ୍ରାମ ମଧ୍ୟରେ ସାତଦିନ ପାଇଁ ଆମିଷ ବାରଣ କରାଯାଇଛି । ଏବର୍ଷକୁ ନେଇ ୨୦୨ବର୍ଷ ହେବ ପରକଣା ଗ୍ରାମରେ ମା ପୁଷ୍ୟାଲକ୍ଷ୍ମୀ ପୂଜା ହୋଇଆସୁଛି ବୋଲି ଜଣାଯାଇଛି । ଗ୍ରାମର ପ୍ରଶାନ୍ତ ସାମଲ ଓ କୁନୀଲତା ସାମଲ କର୍ତ୍ତା କର୍ତ୍ତୀ ଭାବେ ମା ଙ୍କ ସେବାରେ ନିୟୋଜିତ ଅଛନ୍ତି । ପୂଜକ ସରୋଜ ଶୁକ୍ଳ ଓ ନୃସିଂହ ଚରଣ ମିଶ୍ର ମା ଲକ୍ଷ୍ମୀ ଙ୍କ ପୂଜାନୀତିକାନ୍ତି ପରିଚାଳନା କରୁଛନ୍ତି । ଦୈନିକ ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ଭଜନ ପରିବେଷଣ, ନାମ ସଂକିର୍ତନ, ଲକ୍ଷ୍ମୀ ପୁରାଣ ପାଠ ପରିବେଶକୁ ଅଧିକ ଉତ୍ସବ ମୁଖରିତ କରୁଛି ।
ରବିବାର ସନ୍ଧ୍ୟାରେ ପଦ୍ମଶ୍ରୀ ବାବା ବଳିଆ ପୂଜା ମଣ୍ଡପ ନିକଟରେ ସମବେତ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେଇଛନ୍ତି । ଆଖ ପାଖ ଗ୍ରାମ ମଧ୍ୟରେ କେଉଁଠି ମା ପୁଷ୍ୟା ଲକ୍ଷ୍ମୀପୂଜା ଅନୁଷ୍ଠିତ ହେଉନଥିବାରୁ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଉଦ୍ୟାକ୍ତା ମାନେ ମନୋରଞ୍ଜନ ପାଇଁ ଅପେରା କାର୍ୟ୍ୟକ୍ରମ ମଧ୍ୟ ରଖିଛନ୍ତି । ମା ଲକ୍ଷ୍ମୀଙ୍କ ପୂଜା ସାତଦିନ ଧରି ଅନୁଷ୍ଠିତ ହେବ । ଆଜି ବୁଧବାର ସନ୍ଧ୍ୟାରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ପରକଣା ପୂଜାମଣ୍ଡପ ନିକଟରେ ପହଂଚି ମା ଲକ୍ଷ୍ମୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।
ପରକଣା ଯୁବ ଶକ୍ତି ସଂଗଠନ ର ସମସ୍ତ ସଦସ୍ୟ ବିଧାୟକ ଙ୍କୁ ପୂଜା ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ । ତାଙ୍କ ସହିତ ବ୍ଳକ ବିଜେଡି ସଭାପତି ତଥା ଯୁବନେତା କ୍ଷିତୀଶ ମହାପାତ୍ର, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଦିଲ୍ଲୀପ ସାହୁ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ବିଜେଡି ନେତା ଦିଲ୍ଲୀପ ସେଠୀ, ସାମ୍ବାଦିକ ରବିନ୍ଦ୍ରନାଥ ବାରିକ ପ୍ରମୁଖ ରହି ମା ଙ୍କ ଦର୍ଶନ କରିଥିଲେ । ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓ ପରକଣା ଯୁବଶକ୍ତି ସଂଗଠନ ଉଦ୍ୟମରେ ମା ପୁଷ୍ୟା ଲକ୍ଷ୍ମୀ ପୂଜା ଶୃଙ୍ଖଳିତ ଭାବେ ହେଉଛି । ଦୈନିକ ମଧ୍ୟାହ୍ନ ରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ଅନୁଷ୍ଠାନ ତରଫରୁ କରାଯାଇଛି ।
