ମୁକ୍ତେଶ୍ୱର ମନ୍ଦିର, ଧଉଳି, କଳାଭୂମି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଆଦି ପରିଦର୍ଶନ
ବିକଶିତ ଭାରତର ସଂକଳ୍ପନାରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ସଂପର୍କିତ ଆଲୋଚନା ବୈଠକରେ ଯୋଗଦାନ — ଓଡ଼ିଶାକୁ ପ୍ରଶଂସା
ଭୁବନେଶ୍ୱର, ୦୬/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୭୯ତମ “ଭାରତକୁ ଜାଣିବା କାର୍ଯ୍ୟକ୍ରମ’(କେଆଇପି)ରେ୨ଦିନିଆ ଓଡ଼ିଶା ପରିଭ୍ରମଣରେ ଆସିଥିବା ବିଭିନ୍ନ ଦେଶର ୨୭ ଜଣ ଗଣମାଧ୍ୟମ ପ୍ରତିନିଧିଦଳ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ସହିତ ଆଜି ଏକ ବୈଠକରେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ଗୃହ(ସ୍ୱରାଷ୍ଟ୍ର ) ବିଭାଗ ସଂଯୋଜନାରେ ଆସିଥିବା ଏହି ପ୍ରତିନିଧି ଦଳଙ୍କୁ ବୈଠକରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ସଂପର୍କରେ ସବିଶେଷ ଅବଗତ କରାଯାଇଥିଲା । ଅନୁଷ୍ଠିତ ବୈଠକରେ ବିକଶିତ ଭାରତର ସଂକଳ୍ପନାରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ସଂପର୍କରେ ଆଲୋଚନା କରାଯାଇଥିଲା ।
ଅନୁଷ୍ଠିତ ଏହି ସାମ୍ବାଦିକ ପ୍ରତିନିଧିମାନଙ୍କ ମଧ୍ୟରେ ପିଜି, ଇଣ୍ଡୋନେସିଆ, ଇସ୍ରାଏଲ୍, କେନିଆ, ମାଲେସିଆ, ମରିସସ, ନିଉଜିଲାଣ୍ଡ, ସିଙ୍ଗାପୁର, ଶ୍ରୀଲଙ୍କା, ସୁରିନେମ, ତ୍ରିନିଦାଦ ଓ ଟବାଗୋଓ ଆଦି ରାଷ୍ଟ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଅବସ୍ଥାପିତ ଏବଂ ନ୍ୟୁ୍ଜ ଏଜେନ୍ସି ପାଇଁ କାର୍ଯ୍ୟକରୁଥିବା ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମ ପ୍ରତିନିଧିମାନେ ରହିଛନ୍ତି ।ଆଗାମୀ ଜାନୁଆରୀ୮ରୁ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଥିବାରୁ ବିଭିନ୍ନ ଦେଶର ଗଣମାଧ୍ୟମ ପ୍ରତିନିଧିଙ୍କର କେଆଇପି କାର୍ଯ୍ୟକ୍ରମ ଅଧିନରେ ଓଡ଼ିଶା ଭ୍ରମଣ ଗୁରୁତ୍ୱ ବହନ କରୁଛି । ଆଜି ପୂର୍ବାହ୍ଣରେ ଏହି ପ୍ରତିନିଧି ଦଳ ମୁକ୍ତେଶ୍ୱର ମନ୍ଦିର, କଳାଭୂମି, ବିଶ୍ୱଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଅପରାହ୍ଣରେ ଖାରବେଳ ଭବନ ଠାରେ ଅନୁଷ୍ଠିତ ବୈଠକ ପରେ ଧଉଳି ଶାନ୍ତିସ୍ତୁପ ଓ ପରେ ପରେ ବୟନିକା ପରିଦର୍ଶନ କରିଥିଲେ।
ରାଜ୍ୟ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରବାସୀ ଭାରତୀୟ ଦିବସରେ ୩ଦିନ ଧରି ଅନୁଷ୍ଠିତ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନ କରିଥିଲେ।ପ୍ରବାସୀ ଭାରତୀୟମାନେ କିପରି ଓଡ଼ିଶାର କଳା, ସଂସ୍କୃତି, ଏୗତିହ୍ୟ, ପର୍ଯ୍ୟଟନ ସଂପର୍କରେ ଜାଣିବାକୁ ପାଇବେ ଏବଂ ଏହାର ସୁବିଧା ପାଇ ପାରିବେ ଏଥିପାଇଁ ଆନୁଷ୍ଠାନିକ ପ୍ରସ୍ତୁତି ଚାଲିଥିବା ସେ କହିଥିଲେ। ପ୍ରବାସୀ ଭାରତୀୟ ଦିବସକୁ ଆଖି ଆଗରେ ରଖି ଜାନୁଆରୀରୁ ୫ରୁ ୧୫ ତାରିଖ ମଧ୍ୟରେ ବିଭନ୍ନ ତାରିଖରେ ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ,ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଆଦିବାସୀ ମେଳା, ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଏବଂ ପୁଷ୍ପ ପ୍ରଦର୍ଶନୀ ଆଦି ଅନୁଷ୍ଠିତ ହେବାକୁ ଯାଉଛି।
ମୁଖ୍ୟଶାସନସଚିବ ‘ଭାରତକୁ ଜାଣିବା କାର୍ଯ୍ୟକ୍ରମ’ରେ ଆସିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଓଡ଼ିଶାକୁ ସ୍ୱାଗତ କରି କହିଥିଲେ ଯେ, ଏଭଳି ଏକ ଆନ୍ତର୍ଜାତିକ ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ପ୍ରବାସୀ ଭାରତୀୟମାନେ ଯୋଗଦେବେ। ଓଡ଼ିଶାର ଶିଳ୍ପାୟନ, ସୁଦୀର୍ଘ ବେଳାଭୂମି, ପର୍ଯ୍ୟଟନ ଭିତ୍ତିଭୂମି, ସାମାଜିକ ଅର୍ଥନୈତିକ ବ୍ୟବସ୍ଥା ସଂପର୍କରେ ସେମାନେ ଜାଣିବାକୁ ପାଇବେ ।୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ସଙ୍ଗେସଙ୍ଗେ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟ ମାନଙ୍କ ଯୋଗଦାନ ସଂପର୍କରେ ଏହି ସମ୍ମିଳନୀରେ ଆଲୋଚନା ହେବ। ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେଉଥିବା ଏବଂ ଏହା ପୂର୍ବରୁ “ଭାରତକୁ ଜାଣିବା କାର୍ଯ୍ୟକ୍ରମ’ରେ ବିଭିନ୍ନ ଦେଶରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଯୋଗଦାନ ଓଡ଼ିଶାକୁ ଉତ୍ସାହିତ କରିଥିବା ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ଏଥି ସହିତ ଓଡ଼ିଶା ସଂପର୍କରେ ବିଦେଶରେ ପ୍ରଚାର ପ୍ରସାର ପାଇଁ ଆସିଥିବା ଗଣମାଧ୍ୟମ ପ୍ରତିନିଧିମାନେ ସୂଚନା ଓ ପ୍ରଚାର ପ୍ରସାରରେ ପ୍ରମୁଖ ଯୋଗଦାନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ପ୍ରବାସୀ ଭାରତୀୟମାନଙ୍କ ପାଇଁ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳୀ, ପାରାଦୀପ, ଚାନ୍ଦିପୁର, ତଳସାରୀ ଓ ପୁରୀ ବେଳାଭୂମି, ସାତକୋଶିଆ, ଭିତରକନିକା, ଶିମିଳିପାଳ ଅଭୟାରଣ୍ୟ, ଦାରିଙ୍ଗବାଡି, ଦେବ୍ରିଗଡ ଆଦି ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ରହିଥିବା ସଂପର୍କରେ ଉପସ୍ଥାପନ କରାଯାଇଥିଲା ।ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ଚିଲିକା, ପୁରୀ ବ୍ଲୁଫ୍ଲାଗ ବେଳାଭୂମି ଦର୍ଶନ କରିବାର ସୁଯୋଗରହିଛି । ଓଡ଼ିଶାର ବିଭିନ୍ନ କାରୁକାର୍ଯ୍ୟ ହସ୍ତଶିଳ୍ପ ଓ ହସ୍ତକଳା କାର୍ଯ୍ୟ ରହିଛି ।ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ କରୁଥିବା ଅତିଥିମାନଙ୍କୁ ସ୍ୱତନ୍ତ୍ରଭାବେ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଦର୍ଶନ ବ୍ୟବସ୍ଥା ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଆସିଥିବା ଅନ୍ୟ ଦେଶର ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଥିଲେ ।ବିଶ୍ୱଦକ୍ଷତା କେନ୍ଦ୍ର ପରିଦର୍ଶନକରି ଏଠାରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ଓ ଏଠାରୁ ଦେଶ ବିଦେଶରେ ନିଯୁକ୍ତି ପାଉଥିବା ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ଅନ୍ୟ ଦେଶର ପ୍ରତିନିଧିମାନେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିବା ସହିତ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ।
ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁଗର୍ଗଙ୍କ ସମେତ ଶିଳ୍ପ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ନଗରଉନ୍ନୟନ , ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସଂପର୍କବି ଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନସଚିବମାନେ ଯୋଗ ଦେଇଥିଲେ।ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବାସୀ ଭାରତୀୟ କାର୍ଯ୍ୟ ପରିଚାଳନା ଡିଭିଜନର ଯୁଗ୍ମ ସଚିବ ଶ୍ରୀ ଅଙ୍କନ ବାନାର୍ଜୀ ଓ କାର୍ଯ୍ୟାଳୟର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଆସନ୍ତା କାଲି ଏହି ପ୍ରତିନିଧି ଦଳ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
()