“ଅନ୍ତର୍ନିହିତ ଗୁଣକୁ ଚିହ୍ନି ପିଲାଙ୍କ ରୁଚି କୁ ଗୁରୁତ୍ଵ ଦେବା ଉଚିତ “
ଭୁବନ ୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ପିଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ “ପିଏମ ଶ୍ରୀ ଉତ୍ସବ” ପାଇଁ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ସବୁ ପିଲା ପାଠ ପଢି ଆଇ ଏ ଏସ , ଓ ଏ ଏସ , ଡାକ୍ତର ,ଇଂଜିନିୟର ହେବେ ବୋଲି ଆଶା କରିବା ଠିକ୍ ନୁହେଁ । ଅଭିଭାବକ ମାନେ ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ସେମାନଙ୍କ ରୁଚି କୁ ଗୁରୁତ୍ଵ ଦେବା ଉଚିତ୍।
ଏହା ଦ୍ବାରା ପିଲା ନିଜ ରୁଚି ଅନୁଯାୟୀ ସଫଳତା ହାସଲ କରିବ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାଦାନ ସହିତ ପିଲାଙ୍କୁ ଆଦର୍ଶ ମଣିଷ ଭାବେ ଗଢି ତୋଳିବା ପ୍ରତ୍ୟେକ
ଶିକ୍ଷାନୁଷ୍ଠାନ ର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି କହିଥିଲେ । ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ କ୍ରୀଡା କ୍ଷେତ୍ରରେ ଜାତୀୟସ୍ତରରେ ଖେଳାଳୀ ସୃଷ୍ଟି କରିପାରିଛି ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଅବସର ପ୍ରାପ୍ତ ଆଇ ଏ ଏସ ରସିଦ ଖାଁ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅର୍ଥନିତିଜ୍ଞ ଶ୍ରୀଯୁକ୍ତ ରମଣ ଅଗ୍ରୱାଲ,ବିଶିଷ୍ଟ ବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ କେଦାର କୁମାର ଦାସ ଯୋଗଦେଇଥିଲେ । ବିଦ୍ୟାଳୟ ଜମିକୁ ଜବରଦଖଲକାରୀ ଙ୍କ କବଳରୁ ଉଦ୍ଧାର କରି ବିଜ୍ଞାନ ପାର୍କ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ମୁଖପତ୍ର ” ଭାରତୀ” ଉନ୍ମୋଚନ କରାଯାଇଥିଲା।
ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ୍ୱର ସାହୁ ସ୍ବାଗତ ଭାଷଣ, ଆଲୁମିନି କମିଟି ସଭାପତି ଇଂ ଦେବେନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ସାଗର ଦାସ ମଞ୍ଚ ପରିଚାଳନା ଓ ବରିଷ୍ଠ ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ଅଭିଭାବକ ତଥା ପୁରାତନ ଛାତ୍ର ମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲା ।
