“ବନ୍ଦେ ମାତରମ”ର ୧୫୦ତମ ବାର୍ଷିକୀ: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଭାସୀ ବୈଠକ ଅନୁଷ୍ଠିତ; ଜାନୁଆରୀ ୧୦ ସୁଦ୍ଧା ବ୍ଲକସ୍ତରୀୟ ତାଲିମ ଶେଷ କରିବାକୁ ନିର୍ଦ୍ଦେଶ   

  ଯାଜପୁର, ୦୫/୦୧/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ରାଷ୍ଟ୍ରଗୀତ “ବନ୍ଦେ ମାତରମ”ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଡ଼ିଓ, ପୌର ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ବାଲେଶ୍ୱରଠାରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣରୁ ଫେରିଥିବା ‘ମାଷ୍ଟର ଟ୍ରେନର’ ମାନଙ୍କ ସହାୟତାରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳରେ ତାଲିମ ଶିବିର ଆୟୋଜନ କରାଯିବ । ଆସନ୍ତା ଜାନୁଆରୀ ୧୦ ତାରିଖ ସୁଦ୍ଧା ଏହି ବ୍ଲକସ୍ତରୀୟ ତାଲିମ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶିବିରରେ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକ/ଅଧ୍ୟାପକ ଯୋଗଦେଇ ତାଲିମ ନେବେ ।

ବୈଠକରେ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆସନ୍ତା ଜାନୁଆରୀ ୧୨ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ) ଦିନ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା “ବନ୍ଦେ ମାତରମ”ର ସାମୂହିକ ଗାନ କରାଯିବ ଏବଂ “ସ୍ୱଦେଶୀ ସଂକଳ୍ପ” ପାଠ କରାଯିବ । ପ୍ରତ୍ୟେକ ଅନୁଷ୍ଠାନରୁ ଜଣେ ଲେଖାଏଁ ଛାତ୍ର/ଛାତ୍ରୀଙ୍କୁ “ଆତ୍ମନିର୍ଭର ଭାରତ ଆମ୍ବାସାଡର” ଭାବେ ଚୟନ କରାଯିବ । ଜାନୁଆରୀ ୧୫ ରୁ ୨୦ ମଧ୍ୟରେ ପ୍ରତ୍ୟେକ ବ୍ଲକସ୍ତରରେ ଏକ ବୃହତ ସମାରୋହ ଆୟୋଜନ କରାଯାଇ ସାମୂହିକ ଗାନ ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ (CDO-cum-EO)ଙ୍କୁ ନୋଡାଲ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ତତ୍ତ୍ୱାବଧାରକ ଦାୟିତ୍ୱ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *