ଯାଜପୁର,୧୯/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ପ୍ରଥମାଖଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରେ ଅଧ୍ୟକ୍ଷତା କରି ପ୍ରାଧିକରଣ ସଚୀବ ଲିପା ମହାନ୍ତି ସୂଚନା ପ୍ରଦାନ କରିବା ସହ ପ୍ରାଧିକରଣର ଢାଞ୍ଚା ତାର କାର୍ଯ୍ୟ ପରିସର ଓ ଉପଯୁକ୍ତ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଥିବା ଆଇନଗତ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ।
ଏଥିରେ ଅତିଥି ଆଲୋଚକ ଭାବେ ଯାଜପୁର ଏସ୍ ଡି ପି ଓ ଶରତ କୁମାର ପାତ୍ର,ରସୁଲପୁର ବ୍ଲକ୍ ଏ ବି ଡି ଓ ଶାରଦା ପ୍ରସାଦ ମହାନ୍ତି , କୁଆଖିଆ ଥାନା ଆଇଆଇସି ସୁଶାନ୍ତ କୁମାର ସେଠୀ ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ବିବାଦର ସମାଧାନ, ପାରିବାରିକ ହିଂସାର ପ୍ରତିକାର, ତଫସିଲ ଭୁକ୍ତ ଜନଜାତି ଓ ସେମାନଙ୍କ ମଧ୍ୟରୁ ଦୁର୍ବିସହ ସ୍ଥିତିରେ ଥିବା ଆଦିବାସୀ ଏବଂ ଯାଯାବର ଶ୍ରେଣୀୟ ଉପଜାତିର ବ୍ୟକ୍ତି ବିଶେଷଙ୍କୁ ନ୍ୟାୟ ପ୍ରଦାନ କିପରି ତ୍ବରିତ ଓ ସହଜ କରାଯିବ ସେଥିପାଇଁ କାର୍ଯ୍ୟକାରୀ ହେଉଥିବା ନାଲସାର ସଂବାଦ ସ୍କିମ ୨୦୦୫ ସହ କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିବିଧ ଜନମଙ୍ଗଳକାରୀ ଯୋଜନା, ଏ ଦିଗରେ ଯଥାର୍ଥ ଉପଭୋକ୍ତା ମାନଙ୍କୁ କିପରି ନ୍ୟାୟିକ ସହାୟତା ମିଳିପାରିବ ସେ ସମ୍ବନ୍ଧ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ସ୍ଥାନୀୟ ସରପଂଚ ଦୁର୍ଗା ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ଗ୍ରାମପଞ୍ଚାୟତ କର୍ମଚାରୀମାନେ ମିଳିତ ଭାବେ ସହଯୋଗ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
