କେନ୍ଦ୍ରାପଡ଼ା,୦୪/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାର ବସପୁର ଠାରୁ କେନ୍ଦ୍ରାପଡା ସଦର ଥାନା ଦେଇ କାକଟ ଲକ୍ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟରାସ୍ତାରେ ଯାତାୟତ କରିବାରେ ଏବେ ଗୁରୁତର ବାଧା ଉପୁଜିଛି । ଏହି ରାସ୍ତା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଦୁଇଟି ଜିଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ସଡ଼କ । ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି ।ଏହି ରାସ୍ତା ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ଚିକିତ୍ସାଳୟ, କଲେଜ୍ ଓ ସହରର ମୁଖ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ ।
କିନ୍ତୁ ଏହି ରାସ୍ତା ଉପରେ ବାଲି, ଗୋଡ଼ି, କାଠ, ଇଟା ଓ ବିଭିନ୍ନ ବ୍ୟବସାୟୀ ସାମଗ୍ରୀ ରଖି ଅବୈଧ ଭାବେ ଜବର ଦଖଲ କରାଯାଇଥିବାରୁ ଯାତାୟାତରେ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ଶୀତ ଋତୁରେ କୁହୁଡ଼ି ପଡ଼ୁଥିବା ସମୟରେ ଏହି ରାସ୍ତା ଉପରେ ଦଣ୍ଡାୟମାନ ଥିବା ବଡ଼ ବଡ଼ ଟ୍ରକ୍ ଓ ବାଲି-ଗୋଡ଼ି ଢେର ପଥଚାରୀ ଓ ଯାନବାହନ ଚାଳକଙ୍କ ପାଇଁ ମହା ବିପଦ ସୃଷ୍ଟି କରୁଛି । ଏହାର ପରିଣାମ ସ୍ୱରୂପ ଦିନକୁ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ନିର୍ଦୋଷ ଲୋକ ଆହତ ହେଉଛନ୍ତି । ସ୍ଥାନୀୟ ଲୋକମାନେ ଏହି ଅବୈଧ ରାସ୍ତା ଅବରୋଧ ବିରୁଦ୍ଧରେ ପ୍ରତିବାଦ ପ୍ରକାଶ କରି ଜିଲା ପ୍ରଶାସନ ଓ ପୋଲିସକୁ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରୁଛନ୍ତି । ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅବୈଧ ଦଖଲ ଓ ରାସ୍ତା ଅବରୋଧ କରୁଥିବା ଲୋକଙ୍କ ବିରୁଦ୍ଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଅତ୍ୟନ୍ତ ଆବଶ୍ୟକ ।
