ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁପାଳନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟବୈଠକ
ସଚେତନତା ମୂଳକ କାର୍ଯ୍ୟକ୍ରମ ସହ ପ୍ରାଥମିକ ଚିକିତ୍ସା ତୁରନ୍ତ ଉପଲବ୍ଧତା ନେଇ ନିର୍ଦ୍ଦେଶ
ଭୁବନେଶ୍ୱର,୦୪/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ବୁଲା କୁକୁର, ଗାଈ,ଗୋରୁ ଆଦି ପ୍ରାଣୀ ମାନଙ୍କ ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନପାଇଁ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ କୁ ଅନୁପାଳନ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଗତକାଲି ଗୁରୁବାର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ପ୍ରକାଶ ଥାଉକି, ବୁଲା କୁକୁର ମାନଙ୍କ ଉତ୍ପାତ ଯୋଗୁଁ ନୂଆଦିଲ୍ଲୀ ସମେତ ଦିଲ୍ଲୀର ବିଭିନ୍ନ ଅଂଚଳରେ ଶିଶୁମାନଙ୍କୁ ମୂଲ୍ୟ ଦେବାକୁ ପଡ଼ୁଥିବା ସମ୍ପର୍କରେ ଏକ ଜାତୀୟ ସ୍ତରୀୟ ସମ୍ବାଦ ପତ୍ରରେ ପ୍ରକାଶିତ ସଂବାଦକୁ ଭିତ୍ତିକରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗତ୨୦ଜୁଲାଇ୨୦୨୫ରେ ନିଜ ଆଡ଼ୁ ଏକ ମାମଲା ଆରମ୍ଭ କରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଏବଂ ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶନାମା ଜାରିକରିଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଏଥି ନେଇ କି କି ପଦକ୍ଷେପ ନିଆଯାଇଛି ଓ ନିଆଯାଉଛି, ସେ ସମ୍ପର୍କରେ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ, ମହିଳା ଓ ଶିଶୁ ବିକାଶ, ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, କ୍ରୀଡା ଓ ଯୁବସେବା, ମହିଳା ଓ ଶିଶୁବିକାଶ , ଏସଟି ଏସସି ଓବିସି ଆଦି ବିଭାଗ ମାନଙ୍କର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବଙ୍କ ସହ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ପ୍ରକାଶ କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।ପଶୁ ମାନଙ୍କପ୍ରତି ଆମେ ସମସ୍ତେ ଦୟାଭାବ ପ୍ରଦର୍ଶନ କରିବା ଆବଶ୍ୟକ। କିନ୍ତୁ ମଣିଷ ମାନଙ୍କର ଜୀବନର ସୁରକ୍ଷା ଆମର ପ୍ରାଥମିକତା ରହିବ । ସେଥିପାଇଁ ଉଭୟ ପ୍ରାଣୀ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ସଂପର୍କରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସଠିକ୍ ଭାବେ ଅନୁପାଳନ କରିବାକୁ ସମ୍ପୃକ୍ତ ସମସ୍ତ ବିଭାଗ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସମେତ ବିଭିନ୍ନ ସ୍ତରରେ ଏଥିନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ଏବଂ କୁକୁର କାମୁଡିଲେ ତୁରନ୍ତ ପ୍ରାଥମିକ ଚିକିତ୍ସା ଉପଲବ୍ଧ କରାଯିବା ପ୍ରତି ସେ ଗୁରୁତ୍ୱ ଦେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
-0-
ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
