ଭୁବନେଶ୍ୱର,୦୩/୦୧/୨୦୨୬ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ନିକଟରେ ବଲାଙ୍ଗୀର ଠାରେ ଅନୁଷ୍ଠିତ ନୃତ୍ୟ ଅନୁଶୀଳନ ଉତ୍ସଵ ୨୦୨୫ ରେ ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି ଙ୍କୁ ଶିକ୍ଷା ଏବଂ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୃତ୍ୟ ଅନୁଶୀଳନ ଯୁବ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଛି। ପୁରୀ ଜିଲ୍ଲା କଣାସ ମଣ୍ଡଳ ଖଣ୍ଡହତା ଗ୍ରାମପଞ୍ଚାୟତ ଅଧୀନ ତିଗିରିଆ ଗ୍ରାମରେ ଜନ୍ମିତ ଡ଼ଃ .ଚମ୍ପତ୍ତି ଶୈଶବରୁ ପାରମ୍ପରିକ ଗୀତ, ନୃତ୍ୟ ଏବଂ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ପାଠ ପଢାରେ ଅତି ଦୁର୍ବଳ ଥିବା ଦେଖି ପିତା ବିଜୟ କୁମାର ଚମ୍ପତ୍ତି ଏବଂ ମାତା ଶଶି ରେଖା ଚମ୍ପତ୍ତି ତାଙ୍କୁ କଳା ଶିକ୍ଷା ମାର୍ଗରେ ନେବା ପାଇଁ ନିଷ୍ପତି ନେଇଥିଲେ। ୨୦୦୦ ମସିହା ରେ ସେ ଐତିହ ଗ୍ରାମ ରଘୁରାଜପୁର ପଦ୍ମଶ୍ରୀ ଗୁରୁ ମାଗୁଣି ଦାସ ଙ୍କ ଗୋଟିପୁଅ ଗୁରୁକୂଳ ରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।

ଗୁରୁକୂଳ ରେ ସେ ଖୁବ୍ କମ୍ ସମୟ ମଧ୍ୟରେ ନୃତ୍ୟ, ଗୀତ ଏବଂ ବାଦ୍ୟ ରେ ଅତି ଚମତ୍କାର ପ୍ରଦର୍ଶନ କରିପାରିଥିଲେ। ଓଡ଼ିଶା ତଥା ଭାରତର ବିଭିନ୍ନ ସମ୍ମାନଜନକ ମଞ୍ଚରେ ତାଙ୍କର କଳାତ୍ମକ ପରିବେଷଣ ସମସ୍ତଙ୍କୁ ସ୍ତମ୍ଭିଭୂତ କରୁଥିଲା ଏବଂ ସେ ଅନେକ ପୁରସ୍କାର ଓ ସମ୍ମାନ ଅଧିକାରୀ ହୋଇପାରିଥିଲେ। କଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଥିଲେ ମଧ୍ୟ ସେ ପାଠ ପଢାରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅତ୍ୟନ୍ତ ଦୁର୍ବଳ ଥିଲେ। ଦଶମ ଶ୍ରେଣୀ ର ପ୍ରାରମ୍ଭରେ ବିଭୂତି ଙ୍କୁ କିଛି ଦିନ ପାଇଁ ନୃତ୍ୟ, ବାଦ୍ୟ ଏବଂ ସଙ୍ଗୀତ କୁ ବିରାମ ଦେଇ ପାଠ ପଢାରେ ମନ ଦେବାକୁ ପଡ଼ିଥିଲା। କୁହାଯାଏ ଗୋଟିପୁଅ କଳା କ୍ଷେତ୍ର ରେ ବିଭୂତି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ଦଶମ ଶ୍ରେଣୀ ରେ ୭୦% ରୁ ଅଧିକ ସଂଖ୍ୟାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ପରେ ସଙ୍ଗୀତ ସହିତ ସାମନ୍ତ ଚନ୍ଦ୍ର ଶେଖର କନିଷ୍ଠ ଏବଂ ସ୍ଵୟଂ ଶାସିତ ମହାବିଦୟାଳୟ ରୁ ବିଜ୍ଞାନରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପରୀକ୍ଷା ରେ ପ୍ରଥମ ବର୍ଗ ରେ ଉତ୍ତୀର୍ଣ୍ଣ ହେଇଥିଲେ।

ଏହି ସମୟରେ ସେ ମର୍ଦ୍ଦଳ ର ଉଚ୍ଚ ସ୍ତରୀୟ ଶିକ୍ଷା ପାଇଁ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ରେ ଯୋଗ ଦେଲେ ଏବଂ ପ୍ରଖ୍ୟାତ ମର୍ଦ୍ଦଳ ଗୁରୁ, ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ଠାରୁ ମର୍ଦ୍ଦଳ ଶିକ୍ଷା ଆରମ୍ଭ କଲେ। ସେ ରେଭେନ୍ସା ବିଶ୍ଵବିଦ୍ୟାଳୟ ରୁ ସ୍ନାତକୋତ୍ତର ଏବଂ ଭୂଷଣ (M. Phil.) ଶ୍ରେଣୀ ମଧ୍ୟ ପ୍ରଥମ ବର୍ଗ ରେ ଉତ୍ତୀର୍ଣ୍ଣ ହୋଇ ୨୦୧୮ ମସିହା ରେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପକ ଭାବେ ଯୋଗ ଦେଲେ। ୨୦୨୩ ରେ ବିଭୂତି, ଜୈବ ପ୍ରଜୁକ୍ତି ବିଜ୍ଞାନ ରେ ବିବ୍ୟା ବାରିଧି ବା ବିଦ୍ୟା ବିଭୂଷଣ (Ph. D) ଉପାଧି “ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ, ବିଭୁବନେଶ୍ୱର” ରୁ ପ୍ରାଧ୍ୟାପକ ଡ଼ଃ ସଂଘମିତ୍ରା ନାୟକ ଙ୍କ ତତ୍ଵାବଧାନରେ ଲାଭ କରିଥିଲେ। ସେହି ସମୟରେ ସେ ଭାରତ ସରକାରଙ୍କ ଅଧିନରେ ଦୁଇଟି ବିଜ୍ଞାନ ପ୍ରକଳ୍ପ ରେ ସଫଳ ଗବେଷଣା କରିଥିଲେ। ସେ ବିଜ୍ଞାନ ଏବଂ କଳା ସମ୍ପର୍କିତ ୨୫ ରୁ ଉର୍ଦ୍ଧ୍ବ ଅଲେଖ ପ୍ରକାଶ କରିଛନ୍ତି ।
ସେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୟ ବୈଜ୍ଞାନିକ ଆଲୋଚନା ଚକ୍ର ଏବଂ ସମ୍ମେଳନ ରେ ନିଜର ଗବେଷଣା ଲବ୍ଧ ଫଳାଫଳ କୁ ଉପସ୍ଥାପନା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ତାଙ୍କ ର ଫଳପ୍ରଦ ଗବେଷଣା ପାଇଁ ଓଡ଼ିଶା ଉଦ୍ଭିଦ ବିଜ୍ଞାନୀ ସଂଘ (Orissa Botanical Association) ପକ୍ଷରୁ ଯୁବ ବୈଜ୍ଞାନିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ସେ ମଧ୍ୟ ସକ୍ଷମ ସମାଜ (Sakhyam Society) ରାଜସ୍ଥାନ ଦ୍ଵାରା ଯୁବ ଯୁବ ବୈଜ୍ଞାନିକ ସମ୍ମାନ ରେ ବିଭୂଷିତ ହୋଇଛନ୍ତି। ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ର ମର୍ଦ୍ଦଳ କ୍ଷେତ୍ରରେ ବରିଷ୍ଠ ବୃତ୍ତି ପାଇବା ସହ ଓଡ଼ିଶା ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ଆୟୋଜିତ ଉତ୍କର୍ଷ କାର୍ଯ୍ୟକ୍ରମ ରେ ଏକକ ମର୍ଦ୍ଦଳ ଶିକ୍ଷା ଏବଂ ପରିବେଷଣ କରିଛନ୍ତି । ଏହା ସହିତ ସେ ମଧ୍ୟ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ରେ କୁନି କୁନି ବିଦ୍ୟାର୍ଥୀ ମାନଙ୍କୁ ମର୍ଦ୍ଦଳ ଶିକ୍ଷା ଦେଉଛନ୍ତି। ଉଭୟ କଳା ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସଫଳତା ଯୁବ ପିଢ଼ି ମାନଙ୍କୁ ବହୁଳ ଭାବେ ପ୍ରଭାବିତ କରିଛି । ତାଙ୍କର ଏଭଳି ବହୁମୁଖୀ ପ୍ରତିଭା ପାଇଁ ବଲାଙ୍ଗୀର ସ୍ଥିତ ନୃତ୍ୟ ଅନୁଶୀଳନ ଅନୁଷ୍ଠାନ ଦ୍ଵାରା ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।
