- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ
- ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ପରାମର୍ଶ
- ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋଚନା
- ଅନୁଷ୍ଠିତ ୫ମ ଜାତୀୟ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକରେ ଆଲୋଚିତ ପ୍ରସଙ୍ଗର ନିର୍ଯ୍ୟାସ ସଂପର୍କରେ ଆଲୋକପାତ
ଭୁବନେଶ୍ୱର,୦୧/ ୦୧ /୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀମତୀ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ ପରେ ଆଜି ପ୍ରଥମ ସଚିବ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକରେ ସମସ୍ତ ବିଭାଗର ସଚିବ ମାନଙ୍କ ସହିତ ଆଲୋଚନା କରି ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ ପାଇଁ ସଚିବ ମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଶାସନ ପରିଚାଳନା କୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା, ଓଡ଼ିଶା ଭିଜନ ଲକ୍ଷ୍ୟ୨୦୩୬ ଓ୨୦୪୭ ହାସଲ ପାଇଁ ପ୍ରଥମେ ୨ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅବିବୃଦ୍ଧି ହାରକୁ ଦୁଇ ଅଂକ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟ, ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଗୁଡିକ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବା, ପ୍ରଭାବଶାଳୀ ଓ ନିର୍ମଳ ଶାସନ ବ୍ୟବସ୍ଥା ସ୍ଥାପନ ପାଇଁ ଆପାରଗ ଓ ଅଯୋଗ୍ୟ କର୍ମଚାରୀ ମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ
କାର୍ଯ୍ୟାନୁଷ୍ଠାନ ନିଆଯିବା, ମିଶନ କର୍ମଯୋଗୀ ଅଧିନରେ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରକଳ୍ପ ଗୁଡିକର ଗୁଣାତ୍ମକତା ବଜାୟ ରଖିବା ସହିତ ପ୍ରକଳ୍ପ କାର୍ଯ୍ୟକାରିତା ତ୍ୱରାନ୍ୱିତ କରାଯିବା ପାଇଁ ପ୍ରକଳ୍ପଓ୍ୱାରୀ ତଦାରଖ, ବଜେଟ୍ ଅନୁମୋଦିତ ଖର୍ଚ୍ଚ ଓ ଏହା ଫଳାଫଳର ସମୀକ୍ଷା, ରାଜ୍ୟର ଦୀର୍ଘ ମିଆଦି ବିକାଶ ପାଇଁ ଭିତ୍ତିଭୂମି, ଶିଳ୍ପ, ବନ୍ଦର, ସଡକ, ସେତୁ ,ପାନୀୟ ଜଳ, ଜଳସେଚନ, ଶକ୍ତି ଓ ସହରାଂଚଳ ବିକାଶରେ ପୁଞ୍ଜି ବ୍ୟୟକୁ ତ୍ୱରାନ୍ୱିତ କରାଯିବା ଏବଂ ଗ୍ରାମୀଣ ବିକାଶ ପାଇଁ ମିଶନ “ପାଓ୍ୱାର” କାର୍ଯ୍ୟକ୍ରମ ଦ୍ୱାରା ପ୍ରତି ଗ୍ରାମକୁ ବିଦ୍ୟତ୍ ଶକ୍ତି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ସବୁ ଦିନିଆ ରାସ୍ତା ସୁବିଧା ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିଲେ ।
ଗୁରୁତ୍ୱପୂର୍ଣ୍ଣ ସରକାରୀ ବୈଠକରେ ଉପସ୍ଥାପନା(ପିପିଟି) ଏବଂ ବୈଠକର ବିବରଣୀ ଗୁଡ଼ିକ ଓଡ଼ିଆ ଭାଷାରେ ପ୍ରସ୍ତୁତି କରାଯିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।ଯେଉଁ ବିଭାଗର ଓ୍ୱେବସାଇଟ୍ ଓଡ଼ିଆ ଓ ଇଂରାଜୀରେ ଅଦ୍ୟତନ ( ଅପଡେଟ୍ ) କରାଯାଇ ନାହିଁ, ତାହାକୁ ଅଦ୍ୟତନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଜନ ଅଭିଯୋଗ ଗୁଡିକ ୧୦ଦିନ ଭିତରେ ଫଇସଲା କରି ବିବରଣୀ ପ୍ରଦାନ କରିବା, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ଜିଲ୍ଲା ଗସ୍ତ ବିବରଣୀ ପରିଦର୍ଶନ ପୋର୍ଟାଲରେ ଉଲ୍ଲେଖକରିବା ଓ ଏହାର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅନୁସରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ପ୍ରଥମେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋଚନା କରାଯାଇଥିଲା। ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ତିନିମାସ ରହିଥିବା ବେଳେ ବିଭିନ୍ନ ବିଭାଗଙ୍କୁ ୨୦୨୫-୨୬ ବଜେଟ୍ ଅନୁମୋଦିତ ପ୍ରସ୍ତାବିତ କାର୍ଯ୍ୟକରି ଖର୍ଚ୍ଚ ବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ ।ଏଥି ସହିତ ରାଜ୍ୟର ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ କରିବାକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ ।
ବୈଠକରେ ଗତ ଡିସେମ୍ବର୨୭ଓ୨୮ତାରିଖରେ ନୂଆଦିଲ୍ଲୀ ରେ ଅନୁଷ୍ଠିତ ୫ମ ଜାତୀୟ ମୁଖ୍ୟ ଶାସନ ସଚିବ ସ୍ତରୀୟ ସମ୍ମିଳନୀ ରେ ଆଲୋଚନାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିବା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନୂଆ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଉପସ୍ଥିତ ବିଭିନ୍ନ ବିଭାଗର ସଚିବ ମାନଙ୍କ ସହିତ ଆଲୋଚନା କରି ସେସବୁର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି।
ଜାତୀୟ ସ୍ତର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଖୁସିର କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସଂପୃକ୍ତ ବିଭାଗ ସମନ୍ୱୟରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ୮ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସବୁ ଅଙ୍ଗନବାଡିରେ ଶୌଚାଳୟ ସୁବିଧା ସହିତ ସେଗୁଡିକର ରକ୍ଷଣାବେକ୍ଷଣ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ରାଜ୍ୟ ଓ ଦେଶର ବିକାଶରେ ଉଚ୍ଚଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ଗୁଣାତ୍ମକ ଶିକ୍ଷା, ଗବେଷଣା,ଶିକ୍ଷାନୁଷ୍ଠାନ ଗୁଡିକରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ,ସଂପର୍କରେ ପଦକ୍ଷେପ ନିଆଯିବାକୁ ଉଚ୍ଚଶିକ୍ଷା ବିଭାଗ ଓ ଦକ୍ଷତା ବିକାଶ ବିଭାଗ ସହିତ ଆଲୋଚନା କରାଯାଇଥିଲା। ଶ୍ରମର ମୂଲ୍ୟ ବୁଝିବା ଏବଂ ଶିଳ୍ପକ୍ଷେତ୍ରରେ ଆବଶ୍ୟକତା ପୂରଣ ପାଇଁ ବହୁବିଧ କ୍ଷେତ୍ର, ଡିଜିଟାଲ ଦକ୍ଷତା ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତିକୁ ଅଗ୍ରାଧିକାର ଦିଆଯିବାନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ଶ୍ରେଣୀରେ ପାଠପଢ଼ା ସହିତ କ୍ରୀଡା ଓ ସହ-ପାଠ୍ୟକ୍ରମକୁ ଗୁରୁତ୍ୱ, ରାଜ୍ୟରେ ଉଚ୍ଚଗୁଣାତ୍ମକ ମାନର ପର୍ଯ୍ୟଟନ ଅନୁଭୂତି ସୃଷ୍ଟିପାଇଁ ଭିତ୍ତିଭୂମିରେ ଉନ୍ନତି, ସବୁ ବର୍ଗର ପର୍ଯ୍ୟଟକଙ୍କ ପାଇଁ ଆନୁଷ୍ଠଙ୍ଗିକ ସୁବିଧା କରାଯିବା, ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀକୁ ଗୁରୁତ୍ୱ ଦିଆଯାଇ ସ୍ୱଦେଶୀ ଇକୋସିଷ୍ଟମ ସୃଷ୍ଟି, ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ରଖିବା ପାଇଁ ସଂପୃକ୍ତ ଅଂଚଳ ମାନଙ୍କରେ ଜୀବିକାର୍ଜନ ପାଇଁ ବ୍ୟକ୍ତିଗତ ଓ ସାମୁହିକ ଅନୁକୂଳ ସୁବିଧାସୃଷ୍ଟି ଆଦି ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ପ୍ରତି ବିଭାଗର ଆଭିମୁଖ୍ୟ ଯେପରି ଜାତୀୟ ଆଭିମୁଖ୍ୟ ସହିତ ସଂଯୋଜିତ ହେବ ଏବଂ ମୂଲ୍ୟଯୁକ୍ତ କୃଷି ଉତ୍ପାଦନ ସହ ବିଶ୍ୱରେ ଭାରତ ଓ ତହିଁରେ ଓଡ଼ିଶାର ଯୋଗଦାନର ମହତ୍ୱ ସଂପର୍କରେ ଗୁରୁତ୍ୱ ଦେଇ ତଦନୁରୂପେ ରଣନୀତି ପ୍ରଣୟନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସବିବ, ପ୍ରମୁଖ ଶାସନ ସଚିବ, ମୁଖ୍ୟ ମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ , ଅନ୍ୟ ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ବିଭାଗୀୟ ଶାସନ ସଚିବମାନଙ୍କର କ୍ଷେତ୍ରୀୟ କାର୍ଯ୍ୟକ୍ରମ ପରିଚାଳନା ଓ ସରକାରଙ୍କ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ରହିଥିବା ମହତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ ଯୋଗଦାନ ରହିଥିବା ଉଲ୍ଲେଖ କରିବା ସହ ସମସ୍ତଙ୍କୁ ସାଥିରେ ନେଇ ଏକ ଟିମ ଭାବେ କାର୍ଯ୍ୟ କରି ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସାଧନ ପାଇଁ ସମ୍ମିଳିତ ପ୍ରୟାସ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
-0-
ପଠାଣି ରାଉତ ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
