ପର୍ଯ୍ୟଟନ ବିଭାଗର ୩ ବୁଝାମଣାପତ୍ର ସ୍ୱାକ୍ଷରିତ – ଓଡ଼ିଶାର ପର୍ଯ୍ୟଟନ ବିକାଶରେ ନୂତନ ମାଇଲଖୁଂଟ

ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନକୁ ବିଶ୍ୱସ୍ତରରେ ପହଂଚାଇବ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨/୦୮/୨୦୨୫ (ଓଡ଼ିଶା ସମାଚାର)-ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର ପର୍ଯ୍ୟଟନର ବିକାଶରେ ଯୋଡ଼ି ହୋଇଥିବା ଏହି ନୂତନ ଫର୍ଦ୍ଧର ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗ ଦେଇଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତିନୋଟି ବୁଝାମଣାପତ୍ର ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତା ବିଶ୍ୱସ୍ତରରେ ଏହାର ପ୍ରଭାବ ବିସ୍ତାର କରିବାରେ ସହାୟକ ହେବ । ଏଥିସହ ଏହି ପ୍ରକଳ୍ପଗୁଡ଼ିକୁ ମିଶନ୍ ମୋଡରେ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ସେହିପରି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୌଦ୍ଧ ପର୍ଯ୍ୟଟନ ପଦକ୍ଷେପକୁ ଏକ ଐତିହାସିକ ସହଭାଗିତା ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ଓଡ଼ିଶାର ଅତୁଳନୀୟ ସାଂସ୍କୃତିକ ଐତିହ୍ୟକୁ ପୁନର୍ଜୀବିତ ଏବଂ ପ୍ରୋତ୍ସାହିତ କରିବ ।

ସୂଚନାଯୋଗ୍ୟ, ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ, ମାଡ୍ରାସ, ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ୱାଟର ସ୍ପୋର୍ଟ୍ସ, ଗୋଆ ଏବଂ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଂଟରନ୍ୟାସନାଲ୍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଆଇଆଇଟି ମାଡ୍ରାସ ସହିତ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ, ଓଡ଼ିଶା ଐତିହ୍ୟ ସ୍ମାରକୀଗୁଡ଼ିକର ସାଇଂଟିଫିକ୍ ଷ୍ଟ୍ରକ୍ଚରାଲ୍ ଅଡ଼ିଟ୍ ଓ ସଂରକ୍ଷଣ ନିମନ୍ତେ ଉନ୍ନତ ବୈଜ୍ଞାନିକ କୌଶଳ ବ୍ୟବହାର କରାଯିବ । ଏହି ସହଯୋଗରେ ବିସ୍ତୃତ ଡକୁ୍ୟମେଂଟେସନ୍, ସାମଗ୍ରୀ ପରୀକ୍ଷଣ, ଭୂ-ବୈଷୟିକ ତଦନ୍ତ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଅନ୍ତର୍ଭୁକ୍ତ ହେବ ।

ଏଥିରେ ସ୍ଥାୟୀ ପୁନଃବ୍ୟବହାର ଯୋଜନା ଓ ପ୍ରକଳ୍ପ ପରିଚାଳନା ପରାମର୍ଶ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ, ଯାହାର ଲକ୍ଷ୍ୟ ଓଡ଼ିଶାର ଐତିହାସିକ ସ୍ଥାନଗୁଡ଼ିକର ଦୀର୍ଘକାଳୀନ ସଂରକ୍ଷଣ ସୁନିଶ୍ଚିତ କରିବା । ଏହି ବୁଝାମଣାପତ୍ର ଓଡ଼ିଶାର ଅମୂଲ୍ୟ ଐତିହ୍ୟ ସମ୍ପତି ଗୁଡ଼ିକୁ ସଂରକ୍ଷଣ ଏବଂ ପୁନରୁଦ୍ଧାର କରିବା ଉପରେ ଧ୍ୟାନ ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଦ୍ୱିତୀୟରେ ଓଡ଼ିଶାରେ ଜଳଭିତିିକ ଦୁଃସାହସିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ୱାଟର ସ୍ପୋର୍ଟ୍ସ, ଗୋଆ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି ପର୍ଯ୍ୟଟନ ବିଭାଗ । ତୃତୀୟତଃ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଏବଂ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଂଟରନ୍ୟାସନାଲ୍ ମିଳିତ ଭାବେ ବୌଦ୍ଧ ତୀର୍ଥ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବେ ।

Leave a Reply

Your email address will not be published. Required fields are marked *