ବଢୁଛି ହାତୀ ଉପଦ୍ରବ; ଚିନ୍ତାରେ ସ୍ଥାନୀୟ ଲୋକ, ବନ ବିଭାଗ ନାଚାର

                                                                କାଶିପୁରରେ ୨୩ ହାତୀ

ନିରାକାରପୁର, ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ଜଙ୍ଗଲ ଜମି ନଷ୍ଟ ଓ ଖାଦ୍ୟାଭାବରୁ ହାତୀ ବର୍ତମାନ ଗାଁ ଓ ସହର ମୁହାଁ ହୋଇଛନ୍ତି । ଜମିରେ ପଶି ଖାଉଥିବା ହାତୀ ପଲ ଏବେ ଗାଁ ଗଣ୍ଡାରେ ପଶି ଲୋକଙ୍କ ଘରେ ରଖାଯାଇଥିବା ଅମଳ ଧାନ , ବାଡ଼ିରେ ଲାଗିଥିବା କଦଳୀ ଗଛ, ଆମ୍ବ ଗଛ ସହିତ ବିଭିନ୍ନ ଫୁଲ ଫଳ ଗଛ ଉପାଡି ଫୋପାଡି ନଷ୍ଟ କରିବାରେ ଲାଗିଛନ୍ତି। କିଛି ଦିନ ହେବ ୨୩ ହାତୀ ପଲ ରାମେଶ୍ଵର, ଗୋଲବାଇ ଅଂଚଳରେ ବୁଲୁଥିବା ବେଳେ ୪ ଦିନ ହେବ କାଶିପୁର ଚିତ୍ରକୁଟ ଜଙ୍ଗଲରେ ରହି କଣାସ ବ୍ଲକର କିଛି ଅଞ୍ଚଳ ଓ ନିରାକାରପୁର ଅଂଚଳରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। କଣାସ ବ୍ଲକ ଗଡଖାରଦ ଅଞ୍ଚଳ ରେ ପଶି ଧାନ ଖାଇଥିବାବେଲେ ଗତ କାଲି ରାତିରେ ପଦ୍ମପୁର ନିକଟରେ ଏକ ଦନ୍ତା ଶରତ ଚନ୍ଦ୍ର ସାମନ୍ତରାୟଙ୍କ ବାଡ଼ି ପଟ ପାଚେରୀ ଭାଙ୍ଗି କଦଳୀ ଗଛ ଓ ନଡ଼ିଆ ଗଛ ଭାଗି ଖାଇ ନଷ୍ଟ କରିଛି। ଦୁଇ ଦିନ ତଳେ ପଲ ବିପିନ କୁମାର ଜୟସିଂହ ଙ୍କ ଫାର୍ମ ହାଉସ ରେ ପଶି ବହୁ ଦାମୀ ଗଛ ଉପାଡି ନଷ୍ଟ କରିଥିଲେ ଆଉ ନିରାକାରପୁର କଲେଜ ପଡିଆରେ ଲାଗି ଥିବା ବହୁ କାଜୁ ଗଛ ଉପାଡି ନଷ୍ଟ କରିଥିବାର ଦେଖିବାକୁ ମିଳିଛି। ଏହି ହାତୀ ପଲ୍ ମନ ଇଚ୍ଛା ଏଣେତେଣେ ବୁଲୁଥିବା ବେଳେ ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।  ଫଳରେ ଅଦିନିଆ ଦେଖୁଥିବା ମଣିଷ ଏବେ ନିତିଦିନ ହାତୀଙ୍କ ହାବୁଡ଼ରେ ପଡ଼ି ଭୟରେ ପଡ଼ି ଖଣ୍ଡିଆ ଖାବରା ହେଉଛି ତ କେତେବେଳେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଛି । ହାତୀ ଓ ମଣିଷର ଲଢେଇ ବର୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ରେ ଏକ ନିତିଦିନିଆ କଥାରେ ପରିଣତ ହେଲଣି । କେତେବେଳେ ହାତୀ ତ ଆଉ କେତେବେଳେ ମଣିଷର ପାଳି ପଡ଼ୁଛି ମୃତ୍ୟୁଯନ୍ତାରେ । ଦୀର୍ଘ ଦିନ ଧରି ଖଜୁରୀପଡ଼ା,ରାମେଶ୍ୱର, କାଶୀପୁର ଚିତ୍ରକୂଟ ମୁଣ୍ଡିଆ, ଡ଼ମଣଭୂମି, ଗୟାବନ୍ଧ, ନାଲସିଂହ, ଗୋଳବାଇ, ସିକୋ, ଗୋଡ଼ିପଡ଼ା, ଜଙ୍କିଆ, କମାଗୁରୁ,ଟାଙ୍କୋଳ, ଭୁଷଣ୍ଡପୁର ଅଂଚଳରେ ହାତୀପଲ ଏଣେତେଣେ ଖାଦ୍ୟ ଅନେଷ୍ୱଣରେ ଘୁରିବୁଲୁଥିବାବେଳେ ମଣିଷଙ୍କ ବିରୋଧର ଶିକାର ହୋଇ ଉଗ୍ରରୂପ ଧାରଣ କରୁଛନ୍ତି । ଘରଦ୍ୱାର ଭାଙ୍ଗିବା, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରିବା ସହ ମଣିଷଙ୍କୁ ଆକ୍ରମଣ କରିବା କୁ ବନ ବିଭାଗ ଯେତେ ଚେଷ୍ଟା କଲେ ବି ରୋକିବାରେ ବିଫଳ ହେଉଛି । ବର୍ତମାନ ୨୩ଟି ହାତୀ ଆସି ଭୁଷଣ୍ଡପୁର ଫରେଷ୍ଟ ଅଂଚଳର ଚିତ୍ରକୁଟ ପାହାଡ଼ରେ ରହି ଦୌରାତ୍ମ୍ୟ ଚଳାଇଛନ୍ତି । ବନ ବିଭାଗ କର୍ମଚାରୀମାନେ ହାତୀ ଘେଉଡ଼ାଇବାକୁ ଆଉ ବଳ ଜୁଟାଇ ପାରୁନି ।କର୍ମଚାରୀ ଅଭାବ ଯୋଗୁ ଖାଲି ଖବର ମିଳିଲେ ଲାଇଟ ପକାଇ ହାତୀର ଯାତାୟତ ରାସ୍ତାକୁ ତନଖି କରିବା ଛଡ଼ା ଅନ୍ୟ କିଛି ଠୋସ ପଦକ୍ଷେପ ନେଲା ଭଳି ଲାଗୁନି । ୨୦୨୧ ମସିହା ଜାନୁଆରୀ ୧୭ ତାରିଖରେ ଖଜୁରୀପଡ଼ା ମୁସଲିମ ସାହିର ସୌଉରିନ ବିବିଙ୍କୁ ଏହି ହାତୀ ଶୁଣ୍ଡରେ କଚାଡ଼ି ମାରିଥିବାବେଳେ ଗତ ବର୍ଷ ଟାଙ୍କୋଳ ଗ୍ରାମର ବାଉରିବନ୍ଧୁ ସ୍ୱାଇଁଙ୍କୁ ଦଳିଚକଟି ମାରିଥିଲା । ସେହିପରି ଗତ ବର୍ଷ ଅକ୍ଟୋବର ୩୧ ତାରିଖରେ ଡ଼ିଆ ପଂଚାୟତ ଭୋଇସାହି ଗ୍ରାମର ଶିକ୍ଷକ ବିଜୟ କୁମାର ପଟ୍ଟନାୟକଙ୍କୁ ନିରାକାରପୁର କଲେଜ ପଛପଟେ ଦଳିଚକଟି ମାରିଥିଲା । ସେହିପରି ନଭେମ୍ବର ୪ ତାରିଖରେ ଜଙ୍କିଆ ଥାନା ଛଣଗିରି ପଂଚାୟତ ରମାବିଲି ଗ୍ରାମର ଶରତ ଜେନା ଦୀପାବଳୀରେ ବଡ଼ବଡ଼ିଆ ଡ଼ାକି ଗ୍ରାମ ଭିତରୁ ଘରକୁ ଫେରୁଥିବାବେଳେ ଦନ୍ତା ହାତୀ ଟେକି କଚାଡ଼ି ଗୋଡ଼ରେ ଦଳି ଦେଇଥିଲା । ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ଖୋର୍ଦ୍ଧା ବ୍ଲକ ଜଙ୍କିଆ ଥାନା ଗୋଳବାଇ ପଂଚାୟତ କାୟା ଗ୍ରାମ ସୁବଳପାଟଣାର ଭରତ ବେହେରାଙ୍କ ପତ୍ନୀ ରଙ୍ଗଲତା ବେହେରା ସକାଳୁ ଫୁଲ ତୋଳିବାକୁ ଯାଇଥିବାବେଳେ ଏକ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା । ଜମିକୁ ଯାଇଥିବାବେଳେ ଟାଙ୍ଗୀ ଥାନା ଉଦୟଗିରି ଗ୍ରାମର ଧ୍ୱଜ ପାତ୍ରଙ୍କୁ ଗତ ବର୍ଷ ନଭେମ୍ବର ୨୮ ତାରିଖରେ ହାତୀ ଦଳି ଦେଇଥିଲା । ସେହିପରି ହାତୀଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ହାତୀକୁ ଟ୍ରାଙ୍କୁଲାଇଜର କରି ରେଡ଼ିଓ କୋଲାର ଲଗାଇବା କାର୍ଯ୍ୟ କରିବାବେଳେ ଭୁଷଣ୍ଡପୁର ପୂର୍ବତନ ଫରେଷ୍ଟର ସିନ୍ଧୁ ଚରଣ ସିଂ ଓ ଅନ୍ୟ ୪ ଜଣ ଆହତ ହୋଇଥିଲେ ଗତ ବର୍ଷ ନଭେମ୍ବର ୨୨ ତାରିଖ ଭୋରୁ । ବନ ବିଭାଗ ବହୁ କଷ୍ଟ କରି ବନ ବିଭାଗ କେତୋଟି ହାତୀଟିକୁ ଅନ୍ୟତ୍ର ଛାଡ଼ି ଦେଇଥିବାବେଳେ ପୁଣି କିଛି ହାତୀ ଟାଙ୍ଗୀ ବନା ଳରେ ଡ଼େରା ପକାଇବା ଆରମ୍ଭ କରିବାରେ ଲାଗିଛନ୍ତି । ଅଳ୍ପ ସଂଖ୍ୟକ ବନ କର୍ମଚାରୀ ଏମାନଙ୍କ ନିକଟରେ ହାର ମାନି କେବଳ ଘଉଡ଼ାଇବା ଛଡ଼ା ଅନ୍ୟ କିଛି କରିବାରେ ନିରୁପାୟ ହେଉଛନ୍ତି । ଫଳରେ ହାତୀ କେବଳ ଜଙ୍ଗଲରୁ ଧାନ କିଆରୀ, ବଜାର , ରାସ୍ତା ହେଉଛନ୍ତି । ଫଳରେ ଟାଙ୍ଗୀ ବନା ଳରେ ଲୋକମାନେ ଭୟଭୀତ ସ୍ଥିତିରେ ରହୁଛନ୍ତି ।ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ହାତୀ ଉପଦ୍ରବରୁ କେବେ ମଳିବ ତ୍ରାହି । ସରକାର କେବେ ଶୁଭ ଦୃଷ୍ଟି ପକାଇ ଏହି ହାତୀମାନଙ୍କୁ କଳବଳ ଲଗାଇ ଚନ୍ଦକା ଜଙ୍ଗଲକୁ ଛାଡ଼ିବେ ନ ହେଲେ ଏହି ଅଞ୍ଚଳ କୁ ହାତୀ ଅଭୟାରଣ୍ୟ ଘୋଷଣା  କରନ୍ତୁ ।

Leave a Reply

Your email address will not be published. Required fields are marked *