ବର୍ଷ ୨୦୨୫ରେ ଭିଜିଲାନ୍ସ ଛାଟ

୨୧୨ ସରକାରୀ ବାବୁଙ୍କ ବିରୁଦ୍ଧରେ ୨୦୨ ଅପରାଧୀକ ମାମଲା
# ଜଣେ ଆଇଏଏସ୍ଙ୍କ ସମେତ ୫୩ ଜଣ ଭିଜିଲାନ୍ସ ପନ୍ଝାରେ — ୪୯ଟି ଆୟ ବହିର୍ଭୂତ ମାମଲା ରୁଜୁ
– ୧୨୦ କୋଟି ଟଙ୍କା ସମ୍ପତି ଠାବ – ଲାଂଚ ନେଇ ଧରାପଡିଛନ୍ତି ୧୦୫ ସରକାରୀ ବାବୁ
କଟକ, ୦୧/୦୧/୨୦୨୬(ଓଡ଼ିଶା ସମାଚାର)- ବର୍ଷ ୨୦୨୫ ମସିହାରେ ଦୁର୍ନୀତିଖୋର ଅଫିସରଙ୍କ ବିରୁଦ୍ଧରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା (ଭିଜିଲାନ୍ସ) ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ବର୍ଷ ୨୦୨୫ରେ ଦୁର୍ନୀତି ଅଭିଯୋଗରେ ୨୧୨ ଜଣ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ସେମାନଙ୍କ ନାମରେ ୨୦୨ଟି ଅପରାଧୀକ ମାମଲା ରୁଜୁ କରାଯାଇଛି । ଯାହାର ବିଚାର କୋର୍ଟରେ ଚାଲିଛି ।

ଏଥିସହ ୫୩ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିବା ବେଳେ ସମାନଙ୍କ ମଧ୍ୟରେ ଜଣେ ଆଇଏଏସ୍ ଅଧିକାରୀ ଥିବା ବଳେ ୩୬ ଜଣ ଇଞ୍ଜିନିୟର, ୧୭ ଜଣ ବନ ଅଧିକାରୀ ଥିବା ଜଣାପଡିଛି । ସେହିପରି ୨୦୨୫ ବର୍ଷ ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ୪୯ଟି ମାମଲା ରୁଜୁ କରାଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ଚଢାଉ ବେଳେ ୧୨୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠାବ କରିଛନ୍ତି । ସେହିପରି ଟଙ୍କା ଲାଂଚ ନେଉଥିବା ବେଳେ ୧୧୪ ଜଣ ବ୍ୟକ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୧୦୫ ଜଣ ସରକାରୀ ବାବୁ ଅଛନ୍ତି । ଏବାବଦରେ ୯୭ଟି ମାମଲା ରୁଜୁ କରାଯାଇଛି । ଧରାପଡିଥିବା ଲାଂଚଖୋର ଅଧିକାରୀମାନେ ୨୬ ଲକ୍ଷ ୨୭ ହଜାର ଟଙ୍କା ଲାଂଚ ଟଙ୍କା ଆଦାୟ କରୁଥିବା ବେଳେ ଧରାପଡିଥିଲେ ।

ସେହିପରି ଭିଜିଲାନ୍ସ ୧୫୩ଟି ବିଲ୍ଡିଂ,୧୮ କେଜି ୩ଶହ ଗ୍ରାମ ସୁନା,୭୧୪ଟି ପ୍ଲଟ,୧୨ଟି ଫାର୍ମ ହାଉସ, ୩୬ କୋଟି ୬୯ ଲକ୍ଷ ବ୍ୟାଙ୍କ ଜମା ଓ ନଗଦ ୮ କୋଟି ୮୧ ଲକ୍ଷ ଟଙ୍କାକୁ ଜବତ କରିଛି । ୨୦୨୫ବର୍ଷ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ବରିଷ୍ଠ ଅଧିକାରୀମାନଙ୍କ ଘରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ କଳାହାଣ୍ଡି ଧର୍ମଗଡର ଉପଜିଲାପାଳ ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲଂଚ ନେଉଥିବା ବେଳେ ଧରାପଡିଥିଲେ । ପରବର୍ତୀ ସମୟରେ ତାଙ୍କ ବାସଭବନରେ ଚଢାଉ କରାଯାଇଥିବା ବେଳେ ସେଠାରୁ ଭିଜିଲାନ୍ସ ଅଧିକାରୀମାନେ ନଗଦ ୫୭ ଲକ୍ଷ ଟଙ୍କା ଜବତ କରିଥିଲେ । ସେହିପରି ଚିଫ୍ ଇଞ୍ଜିନିୟର ବୈକୁଣ୍ଠ ନାଥ ଷଢଙ୍ଗୀଙ୍କ ଘରେ ଚଢାଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ ନଗଦ ୨ କୋଟି ୫୬ ଲକ୍ଷ ଟଙ୍କାକୁ ଜବତ କରିଥିଲେ । ମାଲକାନାଗିରିର ପିପି ସାନ୍ତନୁ ମହାପାତ୍ରଙ୍କ ଘରେ ଚଢ଼ଉ ସମୟରେ ତାଙ୍କ ଘରୁ ନଗଦ ୨ କୋଟି ୮ ଲକ୍ଷ ଟଙ୍କାକୁ ଜବତ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ୨୦୨୫ ମସିହାରେ ୪୮୭ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ୧୧୯୯ଟି ବ୍ୟାଙ୍କ ଆକାଉନ୍ଟକୁ ଫ୍ରିଜ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *