ଭୁବନେଶ୍ୱର,୧୫/୦୫/୨୦୨୫ (ଓଡ଼ିଶା ସମାଚାର)- ସାମ୍ପ୍ରତିକ ସ୍ଥିତିରେ ଭାରତ-ପାକ୍ ସ୍ଥିତି ଉତେଜନାପୂର୍ଣ୍ଣ ଥିବାବେଳେ ଭାରତର ଅପରେସନ୍ ସିନ୍ଦୂର ର ସଫଳତାରେ ପାକିସ୍ଥାନ ବିଚଳିତ ହୋଇପଡ଼ିଛି । ଭାରତ ସରକାର ପାକିସ୍ତାନ ସହ ସବୁ ପ୍ରକାର ବ୍ୟବସାୟ ବାଣିଜ୍ୟ ବନ୍ଦ କରିଥିବା ସମୟରେ ବୁଧବାର ଜଗତସିଂହପୁର ଜିଲାର ପାରାଦୀପ ପୋର୍ଟ ଠାରେ ଦକ୍ଷିଣ କୋରିଆର ଏକ ଜାହାଜରେ ୨୧ଜଣ ପାକିସ୍ତାନୀ ଥିବା ଜଣାପଡ଼ିଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଉକ୍ତ ଜାହାଜକୁ ପାରାଦୀପ ବନ୍ଦର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି ।
ପାରାଦୀପ ଆଇଓସିଏଲ୍ କୁ ୧୩୫ ମେଟ୍ରିକ୍ ଟନ୍ ଆଶୋଧିତ ତୈଳ ନେଇ ଆସିଥିବା କୋରିଆର ଉକ୍ତ ଜାହାଜକୁ ପୋର୍ଟଠାରୁ ୨୦କିମି ଦୂରରେ ଥିବା ଏସପିଏମ୍ ବର୍ଥରେ ଅଟକାଇ ଦିଆଯାଇଛି । ସେହିଠାରେ ତୈଳ ଅନଲୋଡ୍ କରିବା ପରେ ଉକ୍ତ ଜାହାଜକୁ ବିଦାକରି ଦିଆଯିବ ବୋଲି କଷ୍ଟମ୍ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏଥିସହିତ ପାରାଦୀପ ମେରାଇନ୍ ପୁଲିସ, ପାରାଦୀପ ବନ୍ଦର, କଷ୍ଟମ୍ ଆଦି ୧୪ରୁ ଊଦ୍ଧ୍ୱର୍ ବିଭାଗ ଉକ୍ତ ଜାହାଜ ଉପରେ ନଜର ରଖିବା ସହିତ କଷ୍ଟମ୍ ବିଭାଗ ପକ୍ଷରୁ ଯାଂଚ ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଯାଂଚରେ ଉକ୍ତ ଜାହାଜର ସମସ୍ତ କାଗଜପତ୍ର ଠିକ୍ ଥିବା ସହିତ ସେଥିରେ ୨୫ଜଣ କ୍ରିୟୁ ସଦସ୍ୟ ଥିବା ସ୍ପଷ୍ଟ ହୋଇଛି । ୨୫ଜଣ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ହୋଇଥିବା ନେଳେ, ୨ଜଣ ଭାରତୀୟ, ଜଣେ ଥାଇଲ୍ୟାଣ୍ଡ ଓ ଜଣେ ଶ୍ରୀଲଙ୍କାର ନାଗରିକ ଥିବା ଜଣାପଡ଼ିଛି । ଉକ୍ତ ଜାହାଜରେ ହଂକଂର ପତକା ଲାଗିବା ସହିତ ଜାହାଜର ନାମ ଏକତଟି ସିରେନ୍-୨ ଲେଖା ରହିଛି ।
