ଜାତୀୟ କୃଷକ ଦିବସ ଅବସରରେ ଲାଇଭଲିହୁଡ୍‌ ଅଲ୍‌ଟରନେଟିଭ୍‌ସ୍‌ ପକ୍ଷରୁ ଭୁବନେଶ୍ୱରେରେ ଟିସୁ୍ୟ କଲ୍‌ଚର ଭିତ୍ତିକ କଦଳୀ ଚାଷ ଉପରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର,୨୩/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଜାତୀୟ କୃଷକ ଦିବସ ଅବସରରେ ଲାଇଭଲିହୁଡ୍‌ ଅଲଟରନେଟିଭ୍‌ସ୍‌ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆରପିଆର୍‌ସି) ଠାରେ “ଟିସୁ୍ୟ କଲ୍‌ଚର ଭିତ୍ତିକ କଦଳୀ ଚାଷର ସମ୍ଭାବନା ଓ ସୁଯୋଗ” ଉପରେ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା । ବୈଜ୍ଞାନିକ ଉପାୟରେ କଦଳୀ ଚାଷକରି ଉତ୍ପାଦର ଗୁଣବତ୍ତାରେ ବୃଦ୍ଧି ଘଟାଇବା ଏବଂ କୃଷକଙ୍କ ଆୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହା ଆୟୋଜନ କରାଯାଇଥିଲା ।

କର୍ମଶାଳାରେ ଓଡ଼ିଶାର ଅନଗୁଳ, ଗଜପତି ଏବଂ ପୁରୀ ଜିଲ୍ଲାରୁ ବହୁ ସଂଖ୍ୟାରେ କୃଷକ ଉତ୍ପାଦକ କମ୍ପାନୀ (ଏଫପିସି)ର କୃଷକମାନେ ଅଂଶଗ୍ରହଣ କରିଥିଲେ । ଉତ୍ତମ ଏବଂ ଉନ୍ନତ କୃଷି କାର୍ଯ୍ୟାଭ୍ୟାସ, ନବୋନ୍ମେଷୀ କୋ÷ଶଳ, ବର୍ଜ୍ୟରୁ ସମ୍ପତ୍ତି ସୃଷ୍ଟି, ରୋଗମୁକ୍ତ ଚାରା ରୋପଣ ସାମଗ୍ରୀ ଏବଂ ଟିସୁ୍ୟ କଲ୍‌ଚର ପ୍ରଯୁକ୍ତି ଜରିଆରେ ବଜାର-ଆଧାରିତ ଉତ୍ପାଦନ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଏଥିରେ ଦୃଷ୍ଟିନିବଦ୍ଧ କରାଯାଇଥିଲା ।

କର୍ମଶାଳା ବିଷୟବସ୍ତୁକୁ ଆଧାର କରି ଶ୍ରୀ ସମ୍ବିତ ତ୍ରିପାଠୀ କୃଷକମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁନିଶ୍ଚିତ କରିବା ଏବଂ କୃଷି-ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ କରିବା ନିମନ୍ତେ ଆଧୁନିକ କୃଷି ପ୍ରଯୁକ୍ତି ଆପଣେଇବାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ନାଫେଡରୁ ଶ୍ରୀମତୀ ଅନିନ୍ଦିତା ଗୁହା; ଶ୍ରୀ ପ୍ରଦୀପ୍ତ କୁମାର ସାହୁ, ଡାଇରେକ୍ଟର ଓ ସିଇଓ, ମର୍ଟନ୍‌ ଫୁଡ୍‌ସ୍‌ ଲିମିଟେଡ ଏବଂ ଶ୍ରୀ ସୁଧାଂଶୁ ଶେଖର ଖୋରା, ସିଇଓ, ଆରପିଆର୍‌ସିଙ୍କ ସମେତ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିଥିଲେ । ଅତିଥିମାନେ ବଜାର ସଂଯୋଗୀକରଣ, କୃଷି-ପ୍ରକ୍ରିୟାକରଣ ସୁଯୋଗସମୂହ ଏବଂ କୃଷକଙ୍କ କ୍ଷମତା ନିର୍ମାଣରେ ଗବେଷଣା ପ୍ରତିଷ୍ଠାନଗୁଡିକର ଭୂମିକା ସମ୍ପର୍କରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଅଗସ୍ତି ବେହେରା, ସମ୍ମାନନୀୟ ବିଧାୟକ, ଛେଣ୍ଡିପଦା (ଅନଗୁଳ) ଉତ୍ପାଦିକତା ବୃଦ୍ଧି, ଆପଦ ହ୍ରାସ ଏବଂ କୃଷକଙ୍କ ଆୟ ବୃଦ୍ଧି କରିବା ନିମନ୍ତେ ଟିସୁ୍ୟ କଲ୍‌ଚର ଭିତ୍ତିକ କଦଳୀ ଚାଷ ଭଳି ବୈଜ୍ଞାନିକ ଉପାୟରେ କୃଷି କାର୍ଯ୍ୟର ଆବଶ୍ୟକତା ଉପରେ ଜୋର୍‌ ଦେଇଥିଲେ । ଏଥିସହିତ କୃଷକ, ଗବେଷଣା ପ୍ରତିଷ୍ଠାନସମୂହ ଏବଂ ବଜାର ମଧ୍ୟରେ ରହୁଥିବା ତାରତମ୍ୟ ଦୂରୀକରଣ କ୍ଷେତ୍ରରେ ଲାଇଭଲିହୁଡ୍‌ ଅଲଟରନେଟିଭ୍‌ସ୍‌ର ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।

କର୍ମଶାଳାର ବୈଷୟିକ ଅଧିବେଶନଗୁଡିକରେ ଡ. ଦେବାଶିଷ ହୋତା, ଆସିଷ୍ଟାଣ୍ଟ ପ୍ରଫେସର (ଫ୍ରୁଟ ସାଇନ୍ସ), ସୋଆ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା କଦଳୀ ଚାଷରେ ସମ୍ପୂର୍ଣ୍ଣ କାର୍ଯ୍ୟାଭ୍ୟାସ ପ୍ରଣାଳୀଗୁଡିକ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ଅନ୍ତର୍ଭୁକ୍ତ ରହିଥିଲା, ଯେଉଁଥିରେ ସେ ସର୍ବୋତ୍ତମ କୃଷି ବିଜ୍ଞାନ ପ୍ରଣାଳୀ, ପୋଷକ ପରିଚାଳନା ଏବଂ କୀଟ ପୋକ ନିୟନ୍ତ୍ରଣ ପଦକ୍ଷେପଗୁଡିକ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।

ଡ. ସି. କାଳିଦାସ, ସାଇଣ୍ଟିଷ୍ଟ ଇନ୍‌-ଚାର୍ଜ, ଆର୍‌ପିଆର୍‌ସିଙ୍କ ମାର୍ଗଦର୍ଶନରେ ଆର୍‌ପିଆର୍‌ସିରେ ଥିବା ଟିସୁ୍ୟ କଲ୍‌ଚର ଲାବୋରେଟୋରୀକୁ କ୍ଷେତ୍ର ପରିଦର୍ଶନମୂଳକ ଗସ୍ତ ସହିତ କର୍ମଶାଳା ସମାପ୍ତ ହୋଇଥିଲା । ଉକ୍ତ ଟିସୁ୍ୟ କଲ୍‌ଚର ଲାବୋରେଟୋରୀରେ କୃଷକମାନେ ରୋଗମୁକ୍ତ କୃଷି ସାମଗ୍ରୀ ଉତ୍ପାଦନ ସମ୍ପର୍କରେ କ୍ଷେତ୍ରସ୍ତରୀୟ ଅନ୍ତର୍ଦୃଷ୍ଟି ହାସଲ କରିଥିଲେ ।

ଏହି ପ୍ରୟାସ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଏବଂ କୃଷକମାନଙ୍କୁ ଉତ୍ପାଦିକତା ଓ ଆୟ ବୃଦ୍ଧି ନିମନ୍ତେ ଜ୍ଞାନ ଓ ପ୍ରଯୁକ୍ତିରେ ସଶକ୍ତ କରିବାକୁ ଲାଇଭଲିହୁଡ୍‌ ଅଲଟରେନେଟିଭ୍‌ସ୍‌ର ପ୍ରତିବଦ୍ଧତାକୁ ପୁନଃଦୃଢୀଭୂତ କରିଛି ।

Leave a Reply

Your email address will not be published. Required fields are marked *