ରାଜ୍ୟ ସରକାରଙ୍କ ସଫଳତାର କାହାଣୀ ସହ ଯୋଜନାଗୁଡ଼ିକର ଉପଯୁକ୍ତ ପ୍ରତିଫଳନ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୨୨/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅଧ୍ୟକ୍ଷତା କରି ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଚଳିତ ବର୍ଷର ପ୍ରଜ୍ଞାପନ ମେଢ଼ରେ ବିଭିନ୍ନ ବିଭାଗର ସଫଳତାର କାହାଣୀ ସହ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ଉପଯୁକ୍ତ ପ୍ରତିଫଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ମେଢ଼ଗୁଡ଼ିକରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହାକୁ ସୁନ୍ଦର ଏବଂ ସର୍ବାଦୃତ କରିବା ପାଇଁ ଶ୍ରୀ ଶର୍ମା କହିଥିଲେ ।
ଏହି ପ୍ରଜ୍ଞାପନ ମେଢ଼ରେ ଯେଉଁ ଯୋଜନାଗୁଡ଼ିକର ପ୍ରତ୍ୟକ୍ଷ ପ୍ରଦର୍ଶନ ହୋଇପାରିବ ସେଗୁଡ଼ିକର ପ୍ରତ୍ୟକ୍ଷ ଉପସ୍ଥାପନ କରିବାକୁ ଶ୍ରୀ ଶର୍ମା ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ । ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକୁ ଦିନେ ଦୁଇଦିନ ପର୍ଯ୍ୟନ୍ତ ରଖିହେବା ଭଳି ପ୍ରସ୍ତୁତ କରି ପରେ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶିତ କରିବାକୁ ସେ କହିଥିଲେ । ଏହା ଦ୍ୱାରା ଅଧିକରୁ ଅଧିକ ଜନସାଧାରଣ ସରକାରଙ୍କ ଯୋଜନା ବାବଦରେ ସଚେତନ ହୋଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ଜାନୁଆରୀ ୫ ତାରିଖ ସୁଦ୍ଧା ସମସ୍ତ ବିଭାଗ ସେମାନଙ୍କ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ଏବଂ ସ୍କେଚ୍ ବିଭାଗକୁ ପଠାଇବା ପାଇଁ ଶ୍ରୀ ଶର୍ମା କହିଥିଲେ ।
ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା ସମୟରେ ପ୍ରଜ୍ଞାପନ ମେଢ଼ଗୁଡ଼ିକୁ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଅଧିକାରୀମାନେ ନିଜ ନିଜ ବିଭାଗର ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ନେଇ ଆଲୋଚନା କରିଥିଲେ ଏବଂ ପରେ ଏସବୁ ପ୍ରଜ୍ଞାପନ ମେଢ଼ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ବୈଠକରୁ ଜଣାପଡ଼ିଛି । ୨୦୨୬ ଜାନୁଆରୀ ୨୬ ତାରିଖ ଦିନ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍ ପରେ ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ ପ୍ରଦର୍ଶିତ ହେବ ।
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ପର୍ଯ୍ୟଟନ ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସେମାନଙ୍କ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ ।
ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍ବୀର୍ ସିଂ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଏବଂ ଅନ୍ୟ ସମସ୍ତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
