ଓଡ଼ିଆ ଭାଷା,ସାହିତ୍ୟ, ସାମ୍ବାଦିକତାର ଭୀଷ୍ମପିତାମହ ଥିଲେ ନୀଳମଣି ବିଦ୍ୟାରତ୍ନ

ଭୁବନେଶ୍ୱର, ୧୪/୧୨/୨୦୨୫ (ଓଡ଼ିଶା ସମାଚାର)-  ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ଜୟଦେବ ବିହାର ପ୍ରତିମୂର୍ତ୍ତି ସ୍ଥଳରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତାର ମୂର୍ତ୍ତିମନ୍ତ ପ୍ରତୀକ ତଥା ବାଙ୍କୀ ମାଟିର ସୁଯୋଗ୍ୟ ସନ୍ତାନ ନୀଳମଣି ବିଦ୍ୟାରତ୍ନଙ୍କ ୧୫୯ ତମ ଜୟନ୍ତୀ ଅଭିଯାନର ଅଧ୍ୟକ୍ଷ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ, ସମ୍ମାନିତ ଅତିଥିଭାବେ ସଂସ୍କୃତି ଗବେଷକ, ସାରସ୍ୱତ ଉପସ୍ଥାପକ ଡ଼ କୃଷ୍ଣ କେଶବ ଷଡ଼ଙ୍ଗୀ, ଶିକ୍ଷାବିତ କାମଦେବ ମହାପାତ୍ର, କଟକ ଜିଲ୍ଲା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି କବି ସୁନୀଲ ମିଶ୍ର, ଭାଷାପ୍ରାଣ ନିମାଇଁ ଚରଣ ଦାସ, ପ୍ରବୀର ମହାନ୍ତି, ରମେଶ ଚନ୍ଦ୍ର ପାତାଳ ସିଂ, ସାରସ୍ୱତ ପ୍ରାଣ ଶିକ୍ଷକ ରବୀନ୍ଦ୍ର କୁମାର ରଣା,ସମାଜସେବୀକା ସମିତା ମହାରଣା, ସଂଯୋଜକ ବାପୁ ଓଝା,ବରିଷ୍ଠ ସାମାଜିକକର୍ମୀ କ୍ରାନ୍ତି କୁମାର ସାକସେନା ପ୍ରମୁଖ ଉପସ୍ଥିତ ରହିବା ସହ ସ୍ବର୍ଗତ ବିଦ୍ୟାରତ୍ନଙ୍କ ବହୁମୁଖୀ ବ୍ୟକ୍ତିତ୍ୱ, ଓଡ଼ିଆ ଭାଷା, ସାହିତ୍ୟ ସାମ୍ବାଦିକତା ପ୍ରମୁଖରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ସହିତ ସ୍ୱାଧୀନତା ସଂଗ୍ରାମୀଭାବେ ତାଙ୍କର ଯୋଗଦାନ ପ୍ରମୁଖ ଚିରସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ତ୍ରିପାଠୀ ମତବ୍ୟକ୍ତ କରିଥିଲେ ଯେ ସମସ୍ତ ପୁଜ୍ୟପୂଜା କାର୍ଯ୍ୟକ୍ରମ ଗୋଟିଏ ଛତ୍ରୀତଳେ ହେଉ ଓ ଏହାର ବ୍ୟାପକ ପ୍ରଚାର, ପ୍ରସାର କରାଯାଉ । ସରକାରଙ୍କୁ ଏ ସମ୍ପର୍କ ରେ ଦୃଷ୍ଟି ଆକର୍ଷଣ କରାଯିବ । ଶ୍ରୀଯୁକ୍ତ ଶତପଥୀ ସ୍ବର୍ଗତ ବିଦ୍ୟାରତ୍ନ ଙ୍କୁ ସାହିତ୍ୟ, ସ୍ୱାଧୀନତା ସଂଗ୍ରାମ, ସାମ୍ବାଦିକତା, ଭାଷା ପ୍ରମୁଖରେ ଭୀଷ୍ମପିତା ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ଉତ୍କଳ ଦୀପିକା,ପ୍ରଜା ବନ୍ଧୁ ପ୍ରମୁଖ ବଳିଷ୍ଠ ସମ୍ପାଦନା କରିବା ସହ ସମାଜରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ଏହିଅବସରରେ ସାମାଜିକ କର୍ମୀ, ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ “ନୀଳମଣି ବିଦ୍ୟାରତ୍ନ ସ୍ମୃତି ସମ୍ମାନ “ପ୍ରଦାନ କରାଯାଇଥିଲା l ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅମିତ ପାଲ ସିଂ,ସଞ୍ଜୟ ପ୍ରଧାନ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *