ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ – ଆଜିର ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ମହିଳା କ୍ୱାର୍ଟରକୁ ଉନ୍ନୀତ ହେଲେ ଉନ୍ନତି ହୁଡ଼ା, ଅନମୋଲ ଖର୍ବ, ତନଭି ଶର୍ମା ଓ ଅନୁପମା ଉପାଧ୍ୟାୟ

ପୁରୁଷ କ୍ୱାର୍ଟରରେ ଥରୁନ ମାନେପଲ୍ଲୀ, ସୁବ୍ରତ ସୁବ୍ରମଣିୟନ, କିରଣ ଜର୍ଜ ଓ ସତୀଶ କୁମାର

କଟକ/ ଭୁବନେଶ୍ୱର,୧୧/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ର ପ୍ରି କ୍ଵାଟର ରାଉଣ୍ଡର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ୩୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।

ତୃତୀୟ ଦିନର ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଖେଳାଳୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମର କମିଶନର କିରଣ ଦୀପ କୌର ସୌହଟା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ।

ତୃତୀୟ ଦିନରେ ଖେଳାଯାଇଥିବା ମହିଳା ସିଙ୍ଗଲ ପୁରୁଷ ସିଙ୍ଗଲ ବିଭାଗରେ ପ୍ରାୟତଃ ସିଡେଡ଼ ଖେଳାଳୀମାନେ ଉତ୍ତମ ଖେଳ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ରାଉଣ୍ଡକୁ ପହଂଚିଯାଇଛନ୍ତି।

ମହିଳା ବିଭାଗର ପ୍ରି କ୍ଵାଟର ରାଉଣ୍ଡରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ଥାଇଲାଣ୍ଡ ଖେଳାଳୀ ତୀଦାପ୍ରନ କ୍ଳୀବାଇସୁନଙ୍କୁ ୨୧-୭,୨୧-୧୪ ରେ ପରାଜିତ କରି କ୍ଵାଟର ଫାଇନାଲରେ ପହଂଚିଛନ୍ତି। ମହିଳା କ୍ୱାର୍ଟରରେ ପହଞ୍ଚିଥିବା ଅନ୍ୟ ଖେଳାଳୀମାନେ ହେଲେ ତୃତୀୟ ସିଡ଼ ତନଭି ଶର୍ମା, ପଞ୍ଚମ ସିଡ଼ ଅନୁପମା ଉପାଧ୍ୟାୟ ଓ ଷଷ୍ଠ ସିଡ଼ ଅନମୋଲ ଖର୍ବ।

ପୁରୁଷ ବିଭାଗ ସିଙ୍ଗଲରେ ମଧ୍ୟ ଟପସିଡ଼ ଥରୁନ ମାନେପଲ୍ଲୀ ନିଜ ଦେଶ ଖେଳାଳୀ ଗୋବିନ୍ଦ କ୍ରିଷ୍ଣାଙ୍କୁ ୨୧-୧୬,୧୨-୨୧ ଓ ୨୧-୧୧ ରେ ହରାଇ  କ୍ୱାର୍ଟରରେ ପହଂଚିଛନ୍ତି। କ୍ୱାର୍ଟର ଫାଇନାଲରେ ପହଂଚି ଥିବା ଅନ୍ୟ ଖେଳାଳୀମାନେ ହେଲେ ଗତ ସିଜନର ସିଙ୍ଗଲ ଚାମ୍ପିୟନ ତଥା ଅଷ୍ଟମ ସିଡ଼ ସତୀଶ କୁମାର, ଦ୍ଵିତୀୟ ସିଡ଼ କିରଣ ଜର୍ଜ ଏବଂ ସପ୍ତମ ସିଡ଼ ଶଙ୍କର ସୁବ୍ରମଣିୟନ।

ମହିଳା ଡବଲସ ବିଭାଗରେ ଅନୁଷ୍ଠିତ ପ୍ରି କ୍ୱାର୍ଟର ରାଉଣ୍ଡ ମ୍ୟାଚରେ ଟପସିଡ଼ ବୁଲଗେରିଆ ଯୋଡି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଇଣ୍ଡୋନେସିଆ ଯୋଡି ଭେଲିଶା କ୍ରିଷ୍ଟିନା ଓ ଅଗ୍ନିଆ ଶ୍ରୀରହୟୁଙ୍କୁ ୨୧-୧୯,୨୧-୧୩ ପଏଣ୍ଟରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି। ମହିଳା ଡବଲସର କ୍ଵାଟରରେ ପହଂଚି ଥିବା ଅନ୍ୟ ଯୋଡିମାନେ ହେଲେ ଭାରତୀୟ ଯୋଡ଼ି ଅଶ୍ୱିନୀ ଭଟ୍ଟ ଓ ଶିଖା ଗୌତମ, ଷଷ୍ଠ ସିଡ଼ କବିପ୍ରିୟା ସେଲବମ ଓ ସିମରନ ସିଂଘି ଏବଂ ଅଷ୍ଟମ ସିଡ଼ ଇଣ୍ଡୋନେସିଆ ଯୋଡି  ଶିତି ସରହ ଆଜହାର ଓ ଦିତ୍ୟା ରାମଧାନୀ।

ବିଶ୍ୱ ବ୍ୟାଡ଼ମିଣ୍ଟନ ସଂଘ, ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ, ଓଡିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଙ୍ଘର ମିଳିତ ଆନୁକୂଲ୍ୟରେ ଚାଲିଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲର ସମସ୍ତ ମ୍ୟାଚ୍ ଆସନ୍ତା କାଲି ଡିସେମ୍ବର ୧୨ ତାରିଖ ଦିନ ଖେଳାଯିବ।

Leave a Reply

Your email address will not be published. Required fields are marked *