ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ବଳାତ୍କାର ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା,୧୦/୧୨/୨୦୨୫(ଓଡ଼ିଶା ସମାଚାର)-ଏକ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ନିକିରାଇ ଥାନା ଅନ୍ତର୍ଗତ ଜମରା ଗ୍ରାମର ବିଶ୍ୱଜିତ ସାହୁ । ମାମଲାର ବିରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ବିଶ୍ୱଜିତ କେନ୍ଦ୍ରାପଡା ଜିଲାର ଏକ ଘରୋଇ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀକୁ ତାଙ୍କ ଘରୁ ଚଳିତବର୍ଷ ମାର୍ଚ୍ଚମାସ ୫ତାରିଖରେ ଅପହରଣ କରିନେଇଥିଲେ ।

ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସଂପୃକ୍ତ ଅଂଚଳର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ସେହି ଅଭିଯୋଗକୁ ଭିତି କରି ଥାନା କେଶ ନମ୍ବର-୪୭/୨୦୨୫ରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିଲା । ପୋଲିସ ମୋବାଇଲ ଟ୍ରାକିଂ କରି ନାଭି ମୁମ୍ବାଇରୁ ଅଭିଯୁକ୍ତ ବିଶ୍ୱଜିତକୁ ଗିରଫ କରିବା ସହ ପିଡିତା ନାବାଳିକାକୁ ଉଦ୍ଧାର କରି ତାଙ୍କର ବୟାନ ରେକର୍ଡ କରିଥିଲା । ଉଭୟଙ୍କର ଡାକ୍ତରୀ ମାଇନା ପରେ ନାବାଳିକାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ନିଜ ବୟାନରେ ନାବାଳିକା ଜଣଙ୍କ କହିଥିଲେ ଯେ ଅଭିଯୁକ୍ତ ତାଙ୍କୁ ନାଭି ମୁମ୍ବାଇର ଏକ ଭଡାଘରେ ରଖି ବାରମ୍ବାର ବଳାତ୍କାର କରିଥିଲା ।

ତେଣୁ ପୋଲିସ ଅଭିଯୁକ୍ତକୁୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମଇମାସ ୩୧ତାରିଖରେ ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଧ ଦାଖଲ କରିଥିଲା । ଏହି ମାମଲାର ବିଚାର ଚାଲିଥିବା ବେଳେ ୧୧ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତି କରି କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଜ୍ଞାପରମିତା ରାଉଳ ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥିସହ ପିଡିତାଙ୍କୁ ୬ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିବାକୁ ଅଦାଲରତ ଜିଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *