ପ୍ରାଣପ୍ରାଚୁର୍ଯ୍ୟ, ପ୍ରାଣପ୍ରବାହ ଓ ଜୀବନବୋଧର କବି ଥିଲେ ବସନ୍ତ ମୁଦୁଲି
ଭୁବନେଶ୍ୱର,୦୭/୧୨/୨୦୨୫ (ଓଡ଼ିଶା ସମାଚାର)- ପ୍ରେମ ଓ ବିଦ୍ରୋହର କବି ବସନ୍ତ ମୁଦୁଲି କେବଳ ପ୍ରାଣପ୍ରାଚୁର୍ଯ୍ୟ ଓ ପ୍ରାଣପ୍ରବାହ କବି ନଥିଲେ, ସେ ଥିଲେ ଜୀବନବୋଧର ଏକ ବହ୍ନିମାନ ସୃଜନଶୀଳ ସ୍ୱାକ୍ଷର । ସମାଜର ତ୍ରୁଟି ବିଚୁ୍ୟତିକୁ ତାଙ୍କ କବିତାରେ ରୂପାୟିତ କରିବା ସହ ଏକ ସମ୍ଭାବନାମୟ ନୂଆ ସକାଳର ସ୍ୱପ୍ନରେ ସେ ବିଭୋର ଥିଲେ ବୋଲି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ, ଭଦ୍ରକଙ୍କ ମିଳିତ ସହଯୋଗରେ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଦିବସବ୍ୟାପୀ ଆୟୋଜିତ ୩୮ତମ ସ୍ମୃତି ସମାରୋହକୁ ଉଦ୍ଘାଟନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତବ୍ୟକ୍ତ କରିଛନ୍ତି ।

ସ୍ମୃତି ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଶିଷ୍ଟ ସାହିତି୍ୟକ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଏବଂ ‘କାଦମ୍ବିନୀ’ର ସମ୍ପାଦିକା ଡକ୍ଟର ଇତି ସାମନ୍ତ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ କବିଙ୍କ କବିତାର ବହୁବର୍ଣ୍ଣା ଦିଗ ଓ ଦିଗନ୍ତ ସମ୍ପର୍କରେ ଆଲୋଚନା କରି ସାମାଜିକ ସଚେତନତାରେ ଉଚ୍ଛଳ ତାଙ୍କ କବିତା ବାସ୍ତବଭଙ୍ଗୀ ଦୃଷ୍ଟିକୋଣ ଯୋଗୁଁ ଚିର ଅମଳିନ ବୋଲି ମତବ୍ୟକ୍ତ କରିଥିଲେ ।
ଏକାଡ଼େମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ମୃତି ସଂସଦର ସମ୍ପାଦକ କୃଷ୍ଣ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ କବି ଅମରେନ୍ଦ୍ର ମାଧବ ଦାଶଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ବସନ୍ତ ମୁଦୁଲି କବିତା ପୁରସ୍କାର ସ୍ୱରୂପ ଅଙ୍ଗବସ୍ତ୍ର, ଉପାୟନ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଟାଇମ୍ ପାସ୍ ପକ୍ଷରୁ ଡକ୍ଟର ବ୍ରଜମୋହନ ମିଶ୍ରଙ୍କ ଅନୁବାଦିତ ଇଂରାଜୀ ପୁସ୍ତକ ‘ସିଲେକ୍ଟେଡ଼ ପୋଏମ୍ସ ଅଫ୍ ବସନ୍ତ ମୁଦୁଲି’ ଓ କବି ବସନ୍ତ ମୁଦୁଲି ପୁରସ୍କାରପ୍ରାପ୍ତ ୪୦ଜଣ କବିଙ୍କ କବିତାକୁ ନେଇ କୃଷ୍ଣ କୁମାର ମହାନ୍ତିଙ୍କ ସମ୍ପାଦିତ ‘ଚିହ୍ନା ଚାଳିଶ’ ସହ କବିଙ୍କ କବିତାର ଇଂରାଜୀ ସଂକଳନ ‘ଉଇଲ୍ ରାଇଜ୍ ଲାଇକ୍ ଏ ଫୋଏନିକ୍ସ’, ଶ୍ୱେତା ରାଉତଙ୍କ ପୁସ୍ତକ ‘ପୁଷ୍ପବିତାନ’ ଉନ୍ମୋଚିତ ହୋଇଥିଲା । ଏକାଡ଼େମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଅତିଥିଙ୍କୁ ମିଚ କୁ ଆହ୍ୱାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମହ୍ଲାର ଅନୁଷ୍ଠାନ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।
ଡକ୍ଟର ଶତ୍ରୁଘ୍ନ ପାଣ୍ଡବଙ୍କ ସଭାପତିତ୍ୱରେ ‘ଓଡ଼ିଆ କବିତାରେ ବୈପ୍ଳବିକ ସ୍ୱର ଓ କବି ବସନ୍ତ ମୁଦୁଲି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଡକ୍ଟର ଅଭିରାମ ବିଶ୍ୱାଳ, ଡକ୍ଟର ବେଣୁଧର ପାଢୀ, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ଆଲୋଚକ ଭାବେ ଯୋଗ ଦେଇଥିଲେ । ଶେଷ ଅଧିବେଶନରେ କବିଙ୍କ ସ୍ମୃତି ପୁରସ୍କାର ପାଇଥିବା କବିମାନଙ୍କ ସ୍ୱରଚିତ କବିତା ପାଠୋତ୍ସବରେ ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ ପୌରହିତ୍ୟ କରିଥିବା ବେଳେ କବି ଓ ଗୀତିକାର ବିଜୟ ମଲ୍ଲ ସଂଯୋଜନା କରିଥିଲେ । ଏକାଡ଼େମୀ ପକ୍ଷରୁ ଚିନ୍ମୟ ମିଶ୍ର, ସ୍ମୃତି ସଂସଦର କର୍ମକର୍ତା ଅରୁଣ ଖିଲାର, ଅମିତାଭ ଖିଲାର, ଅଭିଷେକ ଖିଲାର, ନିରାକାର ଦାସ, ରଜନୀକାନ୍ତ ମହାନ୍ତି, କିଶୋର ପାଣିଗ୍ରାହୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।
