ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

ଯାଜପୁର,୦୫/୧୨/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ମୁଖ୍ୟ କୃଷି ଅଧିକାରୀଙ୍କ ସମ୍ମିଳନୀ ଗୃହରେ ବିଶ୍ଵ ମୃତ୍ତିକା ଦିବସ-୨୦୨୫ ପାଳିତ ହୋଇଛି। ଏଥିରେ ଚାଷୀ ଭାଇଭଉଣୀମାନଙ୍କୁ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକାର ଗୁଣବତ୍ତା ବଜାୟ ରଖିବା ପାଇଁ ଧାରଣୀୟ ପରିଚାଳନାର ଆବଶ୍ୟକତା ବିଷୟରେ ସଚେତନ କରାଯାଇଛି। ମୃତ୍ତିକା ସଂରକ୍ଷଣର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ୨୦୧୪ ମସିହାଠାରୁ ପ୍ରତିବର୍ଷ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଆସୁଛି।

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତପନ କୁମାର ମହାପାତ୍ର ଚଳିତ ବର୍ଷର ଥିମ୍ “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା” ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସୁବ୍ରତ କୁମାର ମହାପାତ୍ର ସବୁଜ ବିପ୍ଲବ ପରେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ଵାରା କିଭଳି କ୍ରମଶଃ ମୃତ୍ତିକା ନଷ୍ଟ ହୋଇଥିଲା, ସେ ସମ୍ପର୍କରେ ଆଲୋଚନା କରିବା ସହ ବର୍ତ୍ତମାନ ସମୟରେ ମାଟିର ଉର୍ବରତାକୁ ଫେରାଇବା ପାଇଁ ଭାରତ ସରକାର ଅର୍ଗାନିକ ଫାର୍ମିଂ ବା ଜୈବିକ କୃଷି ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ।

ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ପରିଡ଼ା ମାଟି ପ୍ରଦୂଷିତ ହେବା ଦ୍ଵାରା ଦେଖା ଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଅନୁଯାୟୀ ପାରମ୍ପରିକ ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଞ୍ଝାରପୁର ଉଦ୍ୟାନ କୃଷି ଅଧିକାରୀ ଜିଆ ଖତ ତଥା ବିଭାଗୀୟ ଯୋଜନା ସମ୍ବନ୍ଧରେ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାଛ ଚାଷରେ ମୃତ୍ତିକା ପରୀକ୍ଷାର ଆବଶ୍ୟକତା ବିଷୟରେ ଚାଷୀଙ୍କୁ ଅବଗତ କରାଇଥିଲେ।

ବୈଷୟିକ ବିଭାଗରେ ମୃତ୍ତିକା ରସାୟବିତ ମୀରା ପରିଛା ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା, ନମୁନା ସଂଗ୍ରହ , ପରୀକ୍ଷା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ର ଉପଯୋଗୀତା ତଥା ସମନ୍ୱିତ ଖାଦ୍ୟସାର ପରିଚାଳନା ସମ୍ବନ୍ଧରେ ଅବଗତ ଚାଷୀମାନଙ୍କୁ କରାଇଥିଲେ। ଏଥିରେ ମୋଟ ୫୦ ଜଣ ଚାଷୀ ଭାଇ ଭଉଣୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଆଦି ଉପସ୍ଥିତ ଥିଲେ। ଏଥିରେ ଉପ ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା ଶ୍ରୀଯୁକ୍ତ ମନୋଜ କୁମାର ରାଉତ ସଭା ପରିଚାଳନା କରିଥିଲେ।ଦିବସ ପାଳନ ଅବସରରେ ୨୦ ଜଣ ଚାଷୀ ଭାଇ ଭଉଣୀ ଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *