ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି

– ଉଦଯାପନ ହେଲା OSDMAର ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା

– *୨୦୨୭ କାର୍ଯ୍ୟଯୋଜନା ଉପରେ ଗୁରୁତ୍ୱବଜ୍ରପାତରୁ ଜୀବନ ରକ୍ଷା ପାଇଁ ଆଗୁଆ ସତର୍କ ସୂଚନା, ସୁରକ୍ଷିତ ଆଶ୍ରୟସ୍ଥଳୀ ଓ ଜରୁରୀକାଳୀନ ସେବାକୁ ସୁଦୃଢ଼ କରିବା ଉପରେ ବିଶେଷଜ୍ଞଙ୍କ ଆଲୋଚନା *

ଭୁବନେଶ୍ୱର,୧୬/୧୦/୨୦୨୬(ଓଡ଼ିଶା ସମାଚାର)-ଆଜି ଲେମନ୍ ଟ୍ରି ପ୍ରିମିୟର୍ ହୋଟେଲଠାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA) ପକ୍ଷରୁ ଦିତୀୟ ଦିନର ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା ଉଦଯାପନ ହୋଇଛି ।  କର୍ମଶାଳାରେ ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପାଇଁ ଏକ ସମନ୍ୱିତ ବଜ୍ରପାତ ସୁରକ୍ଷା ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବିଶେଷଜ୍ଞ, ବୈଜ୍ଞାନିକ, ଶିକ୍ଷାବିତ୍‌, ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବିପର୍ଯ୍ୟୟ ପରିଚାଳନା ସହ ଜଡ଼ିତ ଅଧିକାରୀମାନେ ବଜ୍ରପାତର ପୂର୍ବ ସତର୍କ ସୂଚନାଠାରୁ ଆରମ୍ଭ କରି ଜୀବନ ରକ୍ଷା, ଜରୁରୀକାଳୀନ ସହାୟତା ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

ଏହି ଉଦଯାପନୀ ଅଧିବେଶନରେ OSDMAର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍‌ କାର୍ଯ୍ୟାନ୍ୱୟନ ଓ ଉତ୍ତରଦାୟିତ୍ୱ ରୂପରେଖ ଉପରେ ଆଲୋକପାତ କରି କହିଛନ୍ତି ଯେ କେବଳ ପ୍ରଦର୍ଶନମୂଳକ ପଦ୍ଧତି ନୁହେଁ, ବରଂ ବ୍ୟାପକ ସ୍ତରରେ ଏହାର ରୂପାୟନ ଏବଂ ପଞ୍ଚାୟତ ସ୍ତରରେ ସାଇରନ୍ ବ୍ୟବସ୍ଥା ଲାଗୁ କରାଗଲେ ଅନେକ ଜୀବନ ବଞ୍ଚାଯାଇପାରିବ।

ବଜ୍ରପାତ ସମୟରେ ଲୋକଙ୍କୁ ଠିକ୍ ସମୟରେ ସତର୍କ କରାଇବା, ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସଚେତନ କରିବା ଏବଂ ବଜ୍ରାଘାତରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା। ବିଶେଷକରି କୃଷକ, କୃଷି ଶ୍ରମିକ, ଖୋଲା ପଡ଼ିଆରେ କାମ କରୁଥିବା ଲୋକ, ଛାତ୍ରଛାତ୍ରୀ ଓ ଗ୍ରାମାଞ୍ଚଳର ବାସିନ୍ଦାଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।ବୈଷୟିକ ଅଧିବେଶନରେ ବଜ୍ରପାତ ଓ ବିଦ୍ୟୁତ୍‌ ଝଟ୍‌କାରୁ ସୁରକ୍ଷା ପାଇଁ ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା, କମ୍‌ ଖର୍ଚ୍ଚରେ ବଜ୍ରପାତ-ସୁରକ୍ଷିତ ଆଶ୍ରୟସ୍ଥଳୀ ନିର୍ମାଣ ଓ ପ୍ରଯୁକ୍ତିଭିତ୍ତିକ ସତର୍କ ସୂଚନା ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଛି।

ଏନ୍‌ଆଇଟି ପାଟନାର ସହଯୋଗୀ ପ୍ରଫେସର ଡ. ଶୈଳେନ୍ଦ୍ର କୁମାର ମଣ୍ଡଳ କୃଷିପ୍ରଧାନ ଅଞ୍ଚଳରେ ସେନ୍ସର ସଂଯୋଗ ସହିତ ବଜ୍ରପାତ-ସୁରକ୍ଷିତ ଆଶ୍ରୟସ୍ଥଳୀର ଗୁରୁତ୍ୱ ସମ୍ପର୍କରେ ଉପସ୍ଥାପନା କରିଥିଲେ। ସେହିପରି CEEW, ପୁଣେର ଡ. ବିଶ୍ୱାସ ଚିତାଲେ ମୟୂରଭଞ୍ଜ ଜିଲ୍ଲାକୁ ଆଧାର କରି ଓଡ଼ିଶାରେ ବଜ୍ରପାତ ସୁରକ୍ଷା ସମ୍ପର୍କିତ ଅଧ୍ୟୟନ ଉପସ୍ଥାପନ କରିଥିଲେ।ବଜ୍ରାଘାତରେ ଆହତ ବ୍ୟକ୍ତିଙ୍କୁ ଜୀବନ ରକ୍ଷାକାରୀ ପ୍ରାଥମିକ ଚିକିତ୍ସା ଓ ଜରୁରୀକାଳୀନ ସହାୟତା ପ୍ରଦାନ ଉପରେ ଏମ୍ସ ଭୁବନେଶ୍ୱରର ଡ.ଏମ୍‌.ସି. ସାହୁ ଏବଂ ଏଫ୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱରର ଡ. ଏ.ବି. ଜେନା ଆଲୋଚନା କରିଥିଲେ। ବଜ୍ରପାତ ସମ୍ପର୍କିତ ସତର୍କ ସୂଚନାକୁ ସାଧାରଣ ଲୋକଙ୍କ ନିକଟରେ ଶୀଘ୍ର ଓ ସରଳ ଭାଷାରେ ପହଞ୍ଚାଇବା ପାଇଁ SMS, ମୋବାଇଲ୍‌ ଆପ୍‌, IVRS, ସାଇରନ୍‌, ସ୍ଥାନୀୟ ଘୋଷଣା ଓ ଗୋଷ୍ଠୀଭିତ୍ତିକ ଯୋଗାଯୋଗ ବ୍ୟବସ୍ଥାର ଉପଯୋଗ ଉପରେ ଆଲୋଚନା ହୋଇଛି।ଏହାସହ କୃଷକ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଖୋଲା ସ୍ଥାନରେ କାମ କରୁଥିବା ଶ୍ରମିକ ଏବଂ ଆଶ୍ରୟସ୍ଥଳୀ ନଥିବା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ପୃଥକ୍‌ ସୁରକ୍ଷା ନିର୍ଦ୍ଦେଶାବଳୀ ପ୍ରସ୍ତୁତି ଉପରେ ମତ ପ୍ରକାଶ ପାଇଛି।

ସତର୍କ ସୂଚନା ମିଳିବା ପରେ କିଏ କେଉଁ ପଦକ୍ଷେପ ନେବେ, କେଉଁ ବିଭାଗ ଦାୟିତ୍ୱ ତୁଲାଇବ ଏବଂ ଜରୁରୀକାଳୀନ ସ୍ଥିତିରେ କିପରି ସମନ୍ୱୟ ରକ୍ଷା କରାଯିବ, ସେନେଇ ଏକ ସୁସଂଗଠିତ ବ୍ୟବସ୍ଥା ପ୍ରସ୍ତୁତିରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ପାଇଁ ବଜ୍ରପାତ ସୁରକ୍ଷା କାର୍ଯ୍ୟଯୋଜନା ଓ ଏକ ଆଦର୍ଶ ମାନକ ପରିଚାଳନା ପ୍ରକ୍ରିୟା (SOP) ପ୍ରସ୍ତୁତ କରିବା ନିମନ୍ତେ ବିଭିନ୍ନ ବିଭାଗର ଦାୟିତ୍ୱ ନିର୍ଦ୍ଧାରଣ, ସତର୍କ ସୂଚନାର ସ୍ତର, ଜରୁରୀକାଳୀନ ପ୍ରତିକ୍ରିୟା, ନିରୀକ୍ଷଣ ଓ ଉତ୍ତରଦାୟିତ୍ୱ ଭଳି ବିଷୟ ଉପରେ ଆଲୋଚନା କରାଯାଇଛି।ଏହି ପ୍ରକ୍ରିୟାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA), ଜିଲ୍ଲା ପ୍ରଶାସନ, ପାଣିପାଗ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷାନୁଷ୍ଠାନ ଓ ପଞ୍ଚାୟତ ସ୍ତରରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ରହିଛି।

ଉଦଯାପନୀ ଅଧିବେଶନରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋରଞ୍ଜନ ମିଶ୍ର ପ୍ରମୁଖ ସୁପାରିସ ଓ ଅଧିକ ପ୍ରାଥମିକତା ଦିଆଯିବାକୁ ଥିବା ୧୦ଟି କ୍ଷେତ୍ର ଚିହ୍ନଟ ସମ୍ପର୍କିତ ଉପସ୍ଥାପନା କଲେ। ଏହି ଆଲୋଚନାରୁ ପ୍ରସ୍ତୁତ ହେବାକୁ ଥିବା ଓଡ଼ିଶା ବଜ୍ରପାତ ସୁରକ୍ଷା SOPର ଖସଡ଼ା, ୨୦୨୭ ପାଇଁ ପ୍ରସ୍ତାବିତ କାର୍ଯ୍ୟଯୋଜନା ଏବଂ ୨୦୨୭-୨୦୩୦ ମଧ୍ୟରେ କାର୍ଯ୍ୟାନ୍ୱୟନର ରୂପରେଖା ଭବିଷ୍ୟତରେ ବଜ୍ରପାତଜନିତ ବିପଦ ହ୍ରାସ କରିବା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି କର୍ମଶାଳା ଶେଷରେ ଓସଡମାର ଉପଦେଷ୍ଟା ଡ଼ କମଲ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କଲେ।

Leave a Reply

Your email address will not be published. Required fields are marked *