ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

  – ଜନଗଣନାକାରୀ ଏବଂ ସାଧାରଣଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା – ରାଜସ୍ୱ ମନ୍ତ୍ରୀ

  – ଜନଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପୋଲିସ୍ ପ୍ରଶାସନକୁ ଦାୟିତ୍ଵ

  – ଜନଗଣନାରେ କାର୍ଯ୍ୟରେ ସହାୟତା କରି ସଠିକ ତଥ୍ୟ ପ୍ରଦାନ କରିବାକୁ ଓଡ଼ିଶାବାସୀଙ୍କୁ ନିବେଦନ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର,୨୨/୦୪/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପ୍ରଥମ ପର୍ଯ୍ୟାୟ ଜନଗଣନା ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ପ୍ରତି ରାଜ୍ୟରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ୧୬ ଏପ୍ରିଲ ୨୦୨୬ରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ଆବାସ ଗଣନା ଚାଲୁରହିଛି । ଏହି ପରିପ୍ରେକ୍ଷୀରେ ଜନଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନେ ଘରକୁ ଘର ବୁଲି ଘରର ଅବସ୍ଥା, ପାରିବାରିକ ସୁବିଧା ଏବଂ ପରିବାର ସମ୍ବନ୍ଧିତ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ,ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା କିଛି ଘଟଣା ସମ୍ପର୍କରେ ରାଜ୍ୟସରକାର ଚିନ୍ତାପ୍ରକଟ କରିବା ସହ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ସଜାଗ ରହିଛନ୍ତି ।

 ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରମୁଖ ଜନଗଣନା ଅଧିକାରୀ ତଥା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ ଅଫିସରମାନଙ୍କୁ ଚିଠି ଲେଖିଛନ୍ତି । ବିଶେଷ ଭାବେ ଗ୍ରୀଷ୍ମପ୍ରବାହ ତଥା ପ୍ରଚଣ୍ଡ ତାତିଜନିତ ସମସ୍ୟାର ମୁକାବିଲା, କାର୍ଯ୍ୟ ସମୟରେ ରହିଥିବା ବିଭିନ୍ନ ବିପଦ ଗୁଡ଼ିକୁ ଚିହ୍ନଟ କରିବା ସହ ଜନଗଣନାକାରୀଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ଵନ୍ଧରେ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଛି ; ଯାହା ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁରୁଖୁରୁରେ ଏବଂ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହୋଇପାରିବ ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଧିକାରୀମାନେ ଜନଗଣନା କରିବେ ନାହିଁ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ସ୍ଥଗିତ ରଖିବା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜନଗଣନାକାରୀଙ୍କ ପ୍ରାଥମିକ ଆବଶ୍ୟକତା ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ଏସଓପି ଜାରି କରି ଗୃହ ବିଭାଗ ସହ ଆଲୋଚନା କରି ପୋଲିସ ପ୍ରଶାସନକୁ ଦାୟିତ୍ଵ ଦେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 ଜନଗଣନା କାର୍ଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୁଖ୍ୟତଃ ନିୟୋଜିତ ହୋଇଥିବାରୁ ବିଦ୍ୟାଳୟରେ ଶିଶୁମାନଙ୍କ ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନରେ ବ୍ୟାଘାତ ନ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଖରାଛୁଟି ସମୟରେ ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ନିମନ୍ତେ ଆଲୋଚନା କରାଯାଇଛି । ଜନଗଣନା କାର୍ଯ୍ୟରେ ମୃତାହତ ଘଟଣାରେ ଆବଶ୍ୟକସ୍ଥଳେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି କିମ୍ବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଅଥବା ରେଡକ୍ରସ୍ ପାଣ୍ଠିରୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏବଂ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ ।

-0-

ଅଂଶୁମାନ ସାହୁ ,ଲୋକସମ୍ପର୍କ ଅଧିକାରୀ ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଙ୍କ ସୌଜନ୍ୟ ରୁ

()

Leave a Reply

Your email address will not be published. Required fields are marked *