୧୨୫ତମ ଜନ୍ମବାର୍ଷିକୀ ଉଦଯାପନୀ ଉତ୍ସବର ଦ୍ବିତୀୟ ଦିନ
ଭୁବନେଶ୍ୱର,୦୨/୧୨/୨୦୨୫ (ଓଡ଼ିଶା ସମାଚାର)- ମା’ ରମାଦେବୀ କେବଳ ମହିୟସୀ ମହିଳା ନଥିଲେ। ସେ ଜଣେ ସଂଗ୍ରାମୀ ଓ ସମ୍ବେଦନଶୀଳ ନେତ୍ରୀ ଥିଲେ। ଦେଶର ତଥା ସାଧାରଣ ଗରିବ ଓ ଅବହେଳିତ ଲୋକର ସେବା ପାଇଁ ସେ ନିଜର ବୟସକୁ ମଧ୍ୟ ହାର ମନାଇଥିଲେ। ତାଙ୍କ ଅଦମ୍ୟ ଇଚ୍ଛା ଶକ୍ତି ଓ ସାହସ ସମ୍ମୁଖରେ ବୟସ ହାର ମାନିଥିଲା। ମା’ ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀର ଉଦଯାପନୀ ଉତ୍ସବରେ ଦ୍ବିତୀୟ ଦିନରେ ସ୍ବାଧୀନତା ସଂଗ୍ରାମ ଏବଂ ସର୍ବୋଦୟରେ ତାଙ୍କର ଅବଦାନକୁ ନେଇ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଗୁଣାତ୍ମକ ବୈଶିଷ୍ଟ୍ୟରେ ରମାଦେବୀଙ୍କ ବ୍ୟକ୍ତିତ୍ବ ପୂର୍ଣ୍ଣତା ଲାଭ କରିଥିଲା ବୋଲି ଅତିଥିମାନେ କହିଛନ୍ତି।
ଭୁବନେଶ୍ବର ଲୋହିଆ ଏକାଡେମୀ ଠାରେ ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖିକା ତଥା ଗବେଷିକା ଡକ୍ଟର ନିବେଦିତା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା’ ରମାଦେବୀଙ୍କ ସାମଗ୍ରିକ ଜୀବନର ଗୁଣାତ୍ମକ ବୈଶିଷ୍ଟ୍ୟତା ସମ୍ପର୍କରେ ଆଲୋକପାତ କରିଥିଲେ। ମା’ ରମାଦେବୀଙ୍କ ଜୀବନ ସଂଗ୍ରାମ ସମ୍ପର୍କରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁସ୍ତକ ପ୍ରକାଶନର ଆବଶ୍ୟକତା ଥିବା ସେ କହିଥିଲେ। ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି କିଭଳି ଭାବରେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀ ଦେଶ ପାଇଁ ଏକ ସଂଗ୍ରାମ ଭିତରେ ନିଜ ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଥିଲେ ତାହା କହିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି କସ୍ତୁରବା ଟ୍ରଷ୍ଟର ଜାତୀୟ ଉପସଭାପତି ଗାୟତ୍ରୀ ଦାସ ମା’ ରମାଦେବୀଙ୍କ ସେବା କାର୍ଯ୍ୟ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲେଖିକା ତଥା ସମାଜସେବୀ ପ୍ରୀତିଛନ୍ଦା ଧଳ କହିଥିଲେ ଯେ, ସ୍ବାଧୀନତା ଆନ୍ଦୋଳନରୁ ସର୍ବୋଦୟ ପର୍ଯ୍ୟନ୍ତ ମା’ ରମାଦେବୀଙ୍କ ପ୍ରତ୍ୟେକଟି କାର୍ଯ୍ୟ ଓ ନେତୃତ୍ବ ଆମ ସମସ୍ତ ଲାଗି ପ୍ରେରଣା। ଆଜିର ପିଢି ମା’ ରମାଦେବୀଙ୍କ ସାହସ ଏବଂ ଦେଶପ୍ରେମକୁ ଆପଣାଇଲେ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ସାମ୍ବାଦିକ ମିନତୀ ସିଂହ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତି ସମୟରେ ଯେତେବେଳେ ସମଗ୍ର ଦେଶରେ ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା ସେତେବେଳେ କିଭଳି ଭାବରେ ସାହସର ସହିତ ମା’ ରମାଦେବୀ ସେ ଆଇନକୁ ସାମ୍ନା କରିଥିଲେ ଓ ଲୋକଙ୍କ ପାଖରେ ନିଜେ ଖବର ପହଞ୍ଚାଉଥିଲେ ତାହା କହିଥିଲେ। ଗ୍ରାମସେବକ ପ୍ରେସରୁ ସେତେବେଳେ ବୁଲେଟିନ ପ୍ରକାଶ କରି ମା’ ରମାଦେବୀ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ପ୍ରଚାର ପ୍ରସାର ବଢାଇଥିଲେ। ଆଜିର ସାମ୍ବାଦିକମାନେ ସେମାନଙ୍କ କର୍ତ୍ତବ୍ୟରେ ସେହି ସାହସ ଓ ପ୍ରତିବଦ୍ଧତା ରଖିବାର ଆବଶ୍ୟକତା ଅଛି ବୋଲି ମୀନତି ସିଂହ କହିଥିଲେ।
ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମା’ ରମାଦେବୀ ୧୨୫ ଜନ୍ମ ବାର୍ଷିକୀ କମିଟିର ଆବାହକ ଡାକ୍ତର ବିଶ୍ବଜିତ ସଭା ସଞ୍ଚାଳନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଲେଖିକା ଯଶୋଧାରା ଦାସ ଏବଂ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ଉଦବୋଧନ ଦେଇଥିବା ବେଳେ ସାମ୍ବାଦିକା ବନୀତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧନ୍ୟବାଦ ଦେଇଥିଲେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ।ଉଲ୍ଳେଖଥାଉ କି, ମା’ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଉଦଯାପନୀ ଉତ୍ସବ ତିନିଦିନ ଧରି ପାଳନ କରାଯାଉଛି। ସୋମବାର ଯାଜପୁର ଜିଲ୍ଲା ବାଲିପଡିଆ ଠକ୍କରବାପା ଆଶ୍ରମରେ ଏହାର ଉଦଘାଟନୀ ଉତ୍ସବ କରାଯାଇଥିବା ବେଳେ ମଙ୍ଗଳବାର ଲୋହିଆ ଏକାଡ଼େମୀରେ ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ରହିଥିଲା। ଆସନ୍ତାକାଲି ମା’ ରମାଦେବୀଙ୍କ ଘର କଟକ ଜିଲ୍ଲା ସତ୍ୟଭାମାପୁରରେ ୧୨୬ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ।
