କଟକ, ୦୨/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ବିଶିଷ୍ଟ ବାଦ୍ୟଯନ୍ତ୍ର ଶିଳ୍ପୀ କୁମାର ଚନ୍ଦ୍ର ମହାନ୍ତିଙ୍କୁ ୨୦୨୫ ମସିହା ପାଇଁ ବେହେଲା (ତାରବାଦ୍ୟ)ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି। ଏକାଡେମୀ ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଭାଗୀୟ ସଚିବ ବିଜୟ କେତନ ଉପାଧ୍ୟାୟ, ସଂଗୀତ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।
ବରିଷ୍ଠ ବେହେଲା ବାଦକ ଶ୍ରୀ ମହାନ୍ତି କଟକ ସହରର କଟକଚଣ୍ଡି ଖ୍ରୀଷ୍ଟିଆନ୍ ସାହି ନିବାସୀ ଚନ୍ଦ୍ରନାଥ ମହାନ୍ତିଙ୍କ ସୁପୁତ୍ର। ସେ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ସ୍ୱୀକୃତିପ୍ରାପ୍ତ ଗ୍ରେଡ୍ ୱାନ୍ ବେହେଲା ବାଦକ ଭାବେ କାର୍ଯ୍ୟରତ। ନିକଟରେ ସେ ଆକାଶବାଣୀର ୬୭ତମ ଜାତୀୟ ସଂଗୀତ ସମ୍ମିଳନୀରେ ନିମନ୍ତ୍ରିତ ଅତିଥିମାନଙ୍କ ସହ ବେହେଲା ବାଦନ କରି ପ୍ରଶଂସିତ ହୋଇଥିଲେ। ସେ ଓଡ଼ିଆ ସମେତ ବଙ୍ଗଳା, ଭୋଜପୁରୀ, ଛତିଶଗଡ଼ି ଇତ୍ୟାଦି ଭାଷାର ୬୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ବେହେଲା ବାଦନ କରି ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ଦୂରଦର୍ଶନ ଓ ଆକାଶବାଣୀରେ ସେ ବେହେଲା ବାଦନ କରି ଆସୁଛନ୍ତି। ଏପରିକି ୨ ହଜାରରୁ ଅଧିକ ଆଲବମ୍, ମ୍ୟୁଜିକ୍ ଭିଡିଓରେ ସେ ବେହେଲା ବାଦନ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ମଞ୍ଚରେ ମଧ୍ୟ ସେ ବେହେଲା ବାଦନ କରିଛନ୍ତି। ଗୁରୁ ପଦ୍ମିନୀ ଖୁଣ୍ଟିଆ ଓ ଗୁରୁ ସୁନାକର ସାହୁଙ୍କ ଠାରୁ ବେହେଲା ଶିକ୍ଷା କରିଥିବା ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାମଗ୍ରୀକ କୃତି ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯାଇଛି।
