ପାଟଣା,୦୨/୧୨/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ବାରା ଏଇଆଇଏନ ର ସହଯୋଗରେ କେନ୍ଦୁଝରର ପାଟଣା ବ୍ଲକ ସ୍ଥିତ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆଯୋଜିତ ହୋଇଥିଲା ୬ଟି ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଆନ୍ତ ବିଦ୍ୟାଳୟ “ଖେଳିବା ଓ ବଢିବା” ବନ୍ଧୁତ୍ବ ମୂଳକ ଫୁଟବଲ୍ ପ୍ରତିଯୋଗୀତା । ଏହି ପ୍ରତିଯୋଗିତାରେ କେନ୍ଦୁଝରର ପାଟଣା ବ୍ଲକର କେଦେଇପୋଷିର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଶ୍ରଦ୍ଧାପୁର ପ୍ରାଥମିକ ବିଦ୍ୟାଳୟ, ପଲାଣଘାଟି ଉଚ୍ଚ ବିଦ୍ୟାଳୟ, ବଣମହୁଲଡିହାର ସନାଖୁମ ଉଚ୍ଚ ବିଦ୍ୟାଳୟ,ଓ ଘଟଗାଁ ବ୍ଲକର ବଡଜାମୁପୋଷିର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

ବିଦ୍ୟାଳୟ ମାନଙ୍କ ମଧ୍ୟରେ “ଖେଳିବା ଓ ପ୍ରସ୍ଫୁଟିତ ହେବା” ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ଖେଳ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବା ସହିତ ଶାରୀରିକ ଏବଂ ମାନସିକ ସୁସ୍ଥତା ତଥା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଓ ନେତୃତ୍ବର ବିକାଶ ପାଇଁ ଏହି କାର୍ୟ୍ୟକ୍ରମର ପରିକଳ୍ପନା କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ଵର ମହାନ୍ତ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଅମାତ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇ କହିଥିଲେ ପାଠ ପଢିବା ସହିତ ଝିଅ ମାନେ ମଧ୍ୟ ଖେଳିବା ଆବଶ୍ୟକ, ଏହା ସେମାନଙ୍କ ଶରୀର ଓ ମନକୁ ସୁସ୍ଥ ରଖିବା ସହିତ ସେମାନଙ୍କୁ ଆଗକୁ ବଢିବାରେ ମଧ୍ୟ ସାହାଯ୍ୟ କରିବ ।
ପିକକ୍ ର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଝିଅ ମାନଙ୍କ ମଧ୍ୟରେ ଆତ୍ମ ବିଶ୍ଵାସ ବୃଦ୍ଧି ତଥା ନେତୃତ୍ଵ ବିକାଶ ନିମନ୍ତେ ଏହି ପ୍ରକାରର କାର୍ୟ୍ୟକ୍ରମ ଆୟୋଜନ କରାଯିବା ଉଚିତ ବୋଲି କହିଥିଲେ । ଅନ୍ୟ ଅତିଥô ମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ନୃସିଂହ ନାଥ ସିଂ, ପଞ୍ଚାୟତ ସମିତି ସଭ୍ୟ ସୁଶୀଲ କୁମାର ସାହୁ, ସରପଞ୍ଚ ହରିଶଙ୍କର ଦେହୁରି, ରାଜନଗର ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ କିରଣିକର ମହାନ୍ତ, ପ୍ରମୁଖ ଯୋଗଦେଇ ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରସଂଶା କରିଥିଲେ । ଏହି ଅବସରରେ ପାର୍ଶ୍ଵକାର୍ୟ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ଲିଙ୍ଗ ସମାନତା ଓ ନେତୃତ୍ବର ବିକାଶ ସମ୍ବନ୍ଧିୟ ତାଲିମ ମଧ୍ୟ ପ୍ରଦାନ କରଯାଇଥିଲା । ଉପମା ମହାନ୍ତି, ଶୁଭଲକ୍ଷ୍ମୀ ପଣ୍ଡା, କବିତା ଦାସ ପ୍ରମୁଖ ଏହି ତାଲିମ କର୍ମଶାଳାର ପରିଚାଳନା କରିଥିଲେ ।
ଏହି କାର୍ୟ୍ୟକ୍ରମରେ ୯୦ରୁ ଉର୍ଦ୍ଧ୍ବ ଛାତ୍ରୀ ଭାଗନେଇ ଥିଲେ । ଏହି ପ୍ରତିଯୋଗିତାର ରେଫରି ଭାବରେ ଲମ୍ବୋଦର ଖେଳର ପରିଚାଳନା କରିଥିଲେ ଓ ଭାଷ୍ୟକାର ପ୍ରକାଶ କୁମାର ତରାଇ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପିକକ୍ ର କେନ୍ଦୁଝର ଜିଲ୍ଲା ସଂଯୋଜକ ସତ୍ୟ ମହନ୍ତ ଓ ପିକକ୍ ର ପ୍ରୋଗ୍ରାମ ମାନେଜର ଜ୍ୟୋତିଶଙ୍କର ମହାନ୍ତି ଏହି କାର୍ୟ୍ୟକ୍ରମର ପରିଚାଳନା କରିଥିଲେ । ପିକକ୍ ର ଦ୍ରୌପଦୀ ବେଜ, ଗୋବିନ୍ଦ, ପରୀକ୍ଷିତ, ସୋନାଲୀ, ମେଘମାଳା, ସୁଚିତ୍ରା, ନୀରାସ ପ୍ରମୁଖ ଏହି କାର୍ୟ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
