ଅଯୋଧ୍ୟା ଶ୍ରୀରାମ ଲାଲାଙ୍କ ମନ୍ଦିରରେ ସତ୍ୟବାଦୀର ପଟ୍ଟଚିତ୍ର ଶୋଭା ପାଇବ

ସାକ୍ଷୀଗୋପାଳ, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ପୁର ମଠ ସାହି ଗ୍ରାମର ପଟ୍ଟଚିତ୍ର ତାଲିମ କେନ୍ଦ୍ରରେ ନିର୍ମିତ ପଟ୍ଟଚିତ୍ର ଅଯୋଧ୍ୟା ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭା ପାଇବ ବୋଲି ଜଣାପଡିଛି ।  ଏହି ତାଲିମ କେନ୍ଦ୍ରର ଶିକ୍ଷକ ନୀଳମଣି ଜେନା ଏହି ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି ।  ଏହି ପଟ୍ଟଚିତ୍ର ୮ ଫୁଟ ଲମ୍ବ ଓ ୩.୪ ଫୁଟ ଓସାର ବିଶିଷ୍ଟ ଅଟେ ।   ଏହି ପଟ୍ଟଚିତ୍ରରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ, ପିତୃ ସତ୍ୟ ପାଳନ, ବନ ବାସ ଗମନ, ସୀତା ହରଣ, ବାନର ସେନା ଓ ହନୁମାନଙ୍କ ମିତ୍ରତା, ଲଙ୍କା ବିଜୟ, ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ଶ୍ରୀରାମଙ୍କ ରାଜ୍ୟଭିଷେକ ରାମରାଜ୍ୟ ସ୍ଥାପନ ଆଦି ସ୍ଥାପନ ହୋଇଅଛି ।

ଏହା ସହିତ ଭଗବାନଙ୍କର ଦଶାବତାର କାହାଣୀ , ଭବ୍ୟ ଶ୍ରୀରାମ ମନ୍ଦିର, ଯଜ୍ଞଶାଳା ଓ ପ୍ରତିଷ୍ଠା ଦିବସ ସ୍ଥାନିତ ହୋଇଅଛି ।  ଏହି ପଟ୍ଟଚିତ୍ର ପ୍ରସ୍ତୁତି ନିମନ୍ତେ ପ୍ରାୟ ୩୦ ଦିନ ସମୟ ଲାଗିଅଛି ।  ଶିକ୍ଷକ ଶ୍ରୀଯୁକ୍ତ ଜେନାଙ୍କ ସହଯୋଗୀ ବିଶ୍ୱନାଥ ସେଠୀ ଓ ବିଶ୍ୱରଞ୍ଜନ ଜେନା ସହଯୋଗ କରିଥିଲେ ।  ତାଲିମ କେନ୍ଦ୍ରର ଛାତ୍ରୀ ରିତାଞ୍ଜଳୀ ରାଉତ , ପୁଷ୍ପଲତା ଜେନା, ମାହାଲୀ ଦାସ,ରଶ୍ମିତା ପରିଡା ଓ ସଂଯୁକ୍ତା ରାଉତରାୟ  ପ୍ରମୁଖ ଏହି ପଟ୍ଟଚିତ୍ର ପ୍ରସ୍ତୁତ କରିଥିଲେ ।  ବିଜେପି ରାଷ୍ଟୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର ଏହି ପଟ୍ଟଚିତ୍ରକୁ ଅଯୋଧ୍ୟା ନେବେ ବୋଲି ଶିକ୍ଷକ ଶ୍ରୀଯୁକ୍ତ ଜେନା ପ୍ରକାଶ କରିଛନ୍ତି  ।

Leave a Reply

Your email address will not be published. Required fields are marked *