କେନ୍ଦ୍ରାପଡ଼ା, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)- ଚଳିତମାସ ୨୮ ତାରିଖରେ ବାରୋ ପଡ଼ିଆରେ ଜିଲାସ୍ତରୀୟ “ନୂଆ ଓ’- ଯୁବ ଓଡ଼ିଶା ନବୀନ ଓଡ଼ିଶା” ଫେଷ୍ଟ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଜିଲାର ୮୨ଟି କଲେଜରୁ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେବେ । ପ୍ରତ୍ୟେକ କଲେଜ ସାମସ୍ ପୋର୍ଟାଲ୍ ରେ ଛାତ୍ରଛାତ୍ରୀମାନଙ୍କ ନାମକୁ ପଞ୍ଜିକୃତ କରାଇବେ । ଉତ୍ସବ ସ୍ଥଳରେ ଛାତ୍ରଛାତ୍ରୀମାନେ ନିଜ ନିଜର ନାମକୁ ସକାଳ ୮ଘଟିକାଠାରୁ ୯.୩୦ ମିନିଟ୍ ମଧ୍ୟରେ ପଞ୍ଜିକରଣ କରାଇ ପାରିବେ କିମ୍ବା ପ୍ରତ୍ୟେକ କଲେଜ୍ କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଆଟେଣ୍ଡାନ୍ସ ସିଟ୍ ରେ ମଧ୍ୟ ଦସ୍ତଖତ କରାଇ ନିଜର ନାମକୁ ପଞ୍ଜିକୃତ କରାଇପାରିବେ । ପ୍ରତ୍ୟେକ କଲେଜ୍ ର ଅଧ୍ୟକ୍ଷମାନେ ନିଜନିଜର ପଞ୍ଜିିକୃତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଆଇ-କାର୍ଡ଼ ଏବଂ ଟି-ସାର୍ଟ ପ୍ରଦାନ କରିବେ । ଆଇକାର୍ଡ଼ ଓ ଟି ସାର୍ଟ ବିନା କୌଣସି ଛାତ୍ରଛାତ୍ରୀ ଉତ୍ସବସ୍ଥଳକୁ ପ୍ରବେଶ କରିପାରିବେ ନାହିଁ । କଲେଜ୍ ର ଛାତ୍ରଛାତ୍ରୀମାନଙ୍କୁ ନେବାଆଣିବା ପାଇଁ ବସ୍ ର ବ୍ୟବସ୍ଥା କରିବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ପ୍ରତ୍ୟେକ ବସ୍ ରେ ସଂପୃକ୍ତ କଲେଜ୍ ର ଜଣେ ଅଧ୍ୟାପକ ଏବଂ ସଂପୃକ୍ତ ବ୍ଲକ୍ ର ପଦାଧିକାରୀଙ୍କୁ ନୋଡାଲ ଅଫିସର୍ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ନୂଆ ଓ’ ଫେଷ୍ଟ ସକାଳ ୯ଘଟିକାରୁ ଅପରାହ୍ଣ ୩.୩୦ ପର୍ଯ୍ୟନ୍ତ ଚାଲୁରହିବ । ଜିଲାସ୍ତରୀୟ ସାଂସ୍କୃତିକ ଏବଂ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଯୁବଶକ୍ତିଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯିବ । ଯୁବଶକ୍ତି ନିଜନିଜର ଅନ୍ତର୍ନିହିତ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏକ ବିଶେଷ ସୁଯୋଗ ପାଇବେ । ଉତ୍ସବସ୍ଥଳରେ ରେଜିଷ୍ଟ୍ରସନଠାରୁ ଆରମ୍ଭ କରି ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ ନିମନ୍ତେ ଭିନ୍ନଭିନ୍ନ କମିଟି ଗଠନ କରାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଉପ ଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ସିଡିଏମଓ ଡା. ଅନୀତା ପଟ୍ଟନାୟକ, ଆରଟିଓ ଧୀରେନ୍ଦ୍ର କୁମାର ନାୟକ, ସମସ୍ତ ବ୍ଲକ୍ ର ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ କଲେଜ୍ ର ନୋଡାଲ ଅଧ୍ୟକ୍ଷ, ଲାଇନ୍ ଡିପାର୍ଟମେଂଟ୍ ର ପଦାଧିକାରୀ ପ୍ରମୁଖ ଯୋଗଦେଇ ବିଭିନ୍ନ ଗଠନମୁଳକ ପ୍ରସ୍ତାବ ଦେଇଥିଲେ ।