ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୦ /୦୧/୨୦୨୪ (ଓଡ଼ିଶା ସମାଚାର)- ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରଣ ପ୍ରତିଷ୍ଠା । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ବର୍ତ୍ତମାନ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ଗୁଡ଼ିକୁ କିଛି ପରାମର୍ଶ ଦିଆଯାଇଛି ।
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ, ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ତଥ୍ୟର ଯାଞ୍ଚ କରାନଯାଇ ଖବର ପ୍ରସାରଣ କରାଯିବା ଉଚିତ୍ ନୁହେଁ । ଖବରକାଗଜ, ଟେଲିଭିଜନ୍ ଚ୍ୟାନେଲ, ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ପରାମର୍ଶ ଜାରି କରାଯାଇଛି । ରାମ ମନ୍ଦିର ପ୍ରସଙ୍ଗକୁ ନେଇ ମିଥ୍ୟା ଖବର ପ୍ରସାରଣ ନକରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରାମର୍ଶ ଦେଇଛି । ବିଶେଷ ଭାବରେ ସୋସିଆଲ ମିଡିଆରେ କିଛି ମିଥ୍ୟା ବାର୍ତ୍ତା ପ୍ରଚାର ହେଉଛି । ଯାହାକି ଶୃଙ୍ଖଳା ଭଙ୍ଗ କରିପାରେ ତେଣୁ ସମସ୍ତ ଗଣମାଧ୍ୟମକୁ ଏପରି ଖବରରୁ ନିବୃତ୍ତ ରହିବାକୁ କୁହାଯାଇଛି ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ, କେବୁଲ ଟେଲିଭିଜନ ନେଟୱାର୍କ ଅଧିନିୟମ, ୧୯୯୫ ଏବଂ ପ୍ରୋଗ୍ରାମ୍ କାଉନସିଲ୍ ଅଧିନିୟମ, ୧୯୭୮ ଅନୁଯାୟୀ ଭାରତର ପ୍ରେସ୍ କାଉନସିଲ୍ ଦ୍ୱାରା ସ୍ଥାପିତ ନର୍ମାସ୍ ଅଫ୍ ସାମ୍ବାଦିକତା ଆଚରଣର ପ୍ରୋଗ୍ରାମ କୋଡର ବ୍ୟବସ୍ଥା ବିଷୟରେ ଉଲ୍ଲେଖ ରହିଛି ।
ମନ୍ତ୍ରଣାଳୟ ଆହୁରି କହିଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ଖବର ପ୍ରସାରଣ କରିବା ପୂର୍ବରୁ ଖବରର ତର୍ଜମା କରିବା ନିହାତି ଆବଶ୍ୟକ ।