ଘଟଗାଁ,୦୮/୦୧/୨୦୨୬ (ଓଡିଶା ସମାଚାର /ଚନ୍ଦ୍ରଶେଖର ସାହୁ )-ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁ। ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀ ମନ୍ଦିର ପାଇଁ ଘଟଗାଁ ବେଶ ପରିଚିତ। ଚଳଚଞ୍ଚଳ ମଧ୍ୟ୍ୟ। ସକାଳ ୬ରୁ ରାତି ଦଶଟା ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗାମ ହୁଏ। ଏଥି ଯୋଗୁ ଜନମାନସରେ ଘଟଗାଁ ପ୍ରସିଦ୍ଧି ଲାଭ କରିଛି। ଏଥି ସହ କେନ୍ଦୁଝର ଜିଲ୍ଲାରେ ରହିଛି ଅନେକ ପୁରାତନ ଶୈବ ପୀଠ। ଏହି ଶୈବ ମନ୍ଦିର ଗଢି ଉଠିଛି ରାଜା ରାଜୁଡା ସମୟରେ। ସେହି ଶୈବ ପୀଠ ମାନଙ୍କ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇ ପାରିଛି ବାରାହାଟିପୁରା ଗ୍ରାମ। ନୀଳକଣ୍ଠେଶ୍ଵର ମନ୍ଦିର ଏବଂ ମକର ମେଳା ପାଇଁ। ଘଟଗାଁ ଠାରୁ ୧୦ କି.ମି ଦୂର ଏହି ନୀଳକଣ୍ଠେଶ୍ଵର ମନ୍ଦିର। ଏଠାରୁ ୨ କି. ମି ଗଲା ପରେ ତରା ଛକ ।
ଏହି ଛକରୁ ତରା ରାସ୍ତାରେ ଗଲେ ପଡ଼େ ବାରାହାଟିପୁରା ଗ୍ରାମ। ମନ୍ଦିର ରହିଛି ସୁଉଚ୍ଚ ପାହାଡ଼ ଉପରେ। ଏହି ମନ୍ଦିର ୧୫ ୨ ପାହାଚ ଵିଶିଷ୍ଟ। ପାହାଚ ସବୁ ଅତିକ୍ରମ କରି ଗଲେ ବାବା ନୀଳକଣ୍ଠେଶ୍ଵରଙ୍କ ଦର୍ଶନ ଲାଭ କରିହୁଏ। ମନ୍ଦିରକୁ ଯିବା ପାଇଁ ଆଉ ଏକ ରାସ୍ତା ରହିଛି। ଏହି ରାସ୍ତା ଦେଇ ଚାରିଚକିଆ ଯାନରେ ମନ୍ଦିର ଉଚ୍ଚତାର ପ୍ରାୟ ଅଧା ପର୍ଯ୍ୟନ୍ତ ପହଞ୍ଚି ହେବ। ସେଠାରୁ ଅବଶିଷ୍ଟ ପାହାଚ ଚଢି ମନ୍ଦିରରେ ପହଞ୍ଚି ଦର୍ଶନ ଲାଭ କରିହେବ। ପୁଣି ରହିଛି ମକର ବେଢା ବୁଲିବା। ମକର ବେଢା ବୁଲିବା ପାଇଁ ବେଢାର ପ୍ରବେଶ ପଥରେ ଦୁଇଟି ବିଶାଳ ପଥର ଖଣ୍ଡ ମଝିରେ ଗଳି ଗଳି ଯିବାକୁ ହୁଏ।
ମନ୍ଦିର ଥିବା ଏହି ପାହାଡ଼ରେ ଆନନ୍ଦର ଉତ୍ସ ଏବଂ ଉଦ୍ଦୀପନାର ପ୍ରାଚୁର୍ଯ୍ୟ ଭରି ରହି ଏହାକୁ ଆକର୍ଷଣୀୟ କରି ରଖିଛି। ପାହାଡ଼ରେ ଥିବା ବିଶାଳକାୟ ପଥର ସମୂହ ଏବଂ ଗଛ ଲତାର ଶୋଭାରାଜି ଆକର୍ଷଣର ଅନ୍ୟ ଏକ କାରଣ। ବାରାହାଟିପୁରା ମନ୍ଦିର ପାଦ ଦେଶରେ ମକର ସଂକ୍ରାନ୍ତିରେ ବସେ ମକର ମେଳା। ବହୁ ବର୍ଷ ପୂର୍ବରୁ ମେଳା ବସୁଥିଲା ସାତ ଦିନ। ମନ୍ଦିର କତୃପକ୍ଷ ଏବଂ ବାରାହାଟି ପୁରାବାସୀଙ୍କ ଉଦ୍ୟମ କ୍ରମେ ମେଳା ଏବେ ପନ୍ଦର ଦିନ ରହୁଛି। ମେଳାକୁ ବିଭିନ୍ନ ଦୋକାନ ମାନ ଆସେ। ଏଥି ସହ ମୀନା ବଜାର, ଦୋଳି, ସିନେମା,ମ୍ୟାଜିକ ସୋ, ଅପେରା ଆଦି ଦେଖିବାକୁ ମିଳେ। ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗାମ ହୋଇଥାଏ। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ମକର ପର୍ବ ଏକ ବଡ଼ ପର୍ବ । ବିଶେଷ କରି ସଂକ୍ରାନ୍ତିରେ ଆଶାତୀତ ଭାବେ ଭିଡ଼ ହୁଏ। ତେଣୁ ଆବଶ୍ୟକ ଧର୍ମଶାଳା, ଶୌଚାଳୟର ବ୍ୟବସ୍ଥା କରାଗଲେ ପର୍ଯ୍ୟଟକ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୁର କରା ଯାଇ ପାରନ୍ତା।
