ଗଣମାଧ୍ୟମରେ କୁତ୍ରିମ ବୁଦ୍ଧିମତା ନୀତି ପାଇଁ ଆହ୍ୱାନ
ଭୁବନେଶ୍ୱର,୨୩/୧୧/୨୦୨୫ (ଓଡ଼ିଶା ସମାଚାର)- ସାମ୍ବାଦିକତାରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମୟରେ ଗଣମାଧ୍ୟମ ନୀତିଗତ ମାନଦଣ୍ଡକୁ ବଜାୟ ରଖିବା ସହ ସାମାଜିକ ଆସ୍ଥାକୁ ଅକ୍ଷୁଣ୍ଣ ରଖି ଖବର ପ୍ରସାରଣ କରିବାର ଆବଶ୍ୟକତା ଉପରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଗୁରୁତ୍ୱାରୋପ କରିଛନ୍ତି । ରବିବାର କିମସ ଅଡିଟୋରିୟମରେ ଇନଷ୍ଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ସହଭାଗିତାରେ ଆୟୋଜିତ ତିନିଦିନିଆ ଜାତୀୟ ମିଡ଼ିଆ ମହାକୁମ୍ଭର ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି କହିଲେ ଯେ ଏ.ଆଇ. ସାମ୍ବାଦିକତାକୁ ସଶକ୍ତ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ, କିନ୍ତୁ କୃତ୍ରିମ ବୁଦ୍ଧିମତା ବିନିଯୋଗ କରିବାବେଳେ ସଠିକ୍ ମାନବ ନିୟନ୍ତ୍ରଣର ଆବଶ୍ୟକତା ରହିଛି । ଗଣମାଧ୍ୟମ ପାଇଁ ଆସ୍ଥା ହାସଲ କରିବା କଠିନ, କିନ୍ତୁ ହରାଇବା ସହଜ ବୋଲି ଅଭିହିତ କରି, ଗଣମାଧ୍ୟମ ଖବର ସୃଷ୍ଟି ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୨ ଜଣ ପ୍ରମୁଖ ଗଣମାଧ୍ୟମ ବିଶେଷଜ୍ଞମାନଙ୍କୁ ସମ୍ବୋଧନ କରି ବାଚସ୍ପତି ଏହି ମତବ୍ୟକ୍ତ କରିଛନ୍ତି । ଏହି ତିନିଦିନିଆ ସମ୍ମିଳନୀରେ ‘ମିଡିଆ ୫.୦: ଡିଜିଟାଲ କମ୍ୟୁନିକେସନ୍’ ବିଷୟରେ ଚର୍ଚ୍ଚା ହୋଇଥିଲା । ସେ ମଧ୍ୟ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ସାମ୍ବାଦିକତାଗତ କୃତି, ସ୍ୱାଧୀନତା ସଂଗ୍ରାମ ଓ ନୂତନ ଓଡ଼ିଶା ଗଠନରେ ତାଙ୍କର ବଳିଷ୍ଠ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଏଫ୍ଏମ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠି କହିଛନ୍ତି ଯେ ଏବେ ଆମେ ଏ.ଆଇ. ଯୁଗରେ ବାସ କରୁଛୁ । ଆମେ କୁତ୍ରିମ ବୁଦ୍ଧିମତାକୁ ଏଡ଼ାଇ ପାରିବା ନାହିଁ; ଆମକୁ ଏହାକୁ ଗ୍ରହଣ କରିବାକୁ ପଡିବ ।
