କୃଷକ ଉତ୍ପାଦକ ସଂଗଠନର ଦ୍ୱିତୀୟ ଜିଲ୍ଲାସ୍ତରୀୟ ତାଲିମ୍ ଶିବିର

ଜଗତସିଂପୁର,୨୧/୧୧/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ତା ୨୧.୧୧.୨୦୨୫ ରିଖ ଦିନ ଦ୍ୱିତୀୟ ଏକ ଦିବସିଆ ଜିଲ୍ଲାସ୍ତରୀୟ  କୃଷକ ଉତ୍ପାଦକ ସଂଗଠନର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୭ଟି କୃଷକ ଉତ୍ପାଦକ ସଂଗଠନର ୨୫ଜଣ ନିର୍ଦ୍ଦେଶକ ପରିଷଦ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିରେ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ  ଡ଼ ଜୀବନଜିତ୍ ସେନ୍ କାର୍ଯ୍ୟକ୍ରମ ପରିଚାଳନା କରିବା ସହ କୃଷି ବିଜ୍ଞାନ କେନ୍ଦ୍ର କିପରି ନୂତନ କୃଷି ପ୍ରଯୁକ୍ତି ଓ ପ୍ରଶିକ୍ଷଣ ତଥା କୃଷକଙ୍କୁ ଆଧୁନିକ ଜ୍ଞାନ କୌଶଳ ଯୋଗାଇବା ସହ ମାଟି ଓ ପାଣି ପରୀକ୍ଷା ଦେବାରେ ସାହାଯ୍ୟ କରୁଅଛି ସେ ବିଷୟରେ ଆଲୋଚନା କରିଥିଲେ।

ଏତତ୍ ବ୍ୟତୀତ FPO ପାଇଁ ମାର୍କେଟିଂ ସହାୟତା, ବ୍ୟାଙ୍କ ଓ ସରକାରୀ ଯୋଜନା ସହ ସଂଯୋଗ, ଗୋଷ୍ଠୀ ଆଧାରିତ ଚାଷ, ପ୍ରଯୁକ୍ତି ଶିକ୍ଷା, ବ୍ୟବସାୟୀ ପରିକଳ୍ପନା ଓ ପରାମର୍ଶ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ଅଧିକାରୀ ଦିଲ୍ଲୀପ ମିଶ୍ର ବିଭିନ୍ନ ଯୋଜନା ତଥା SHG ବ୍ୟାଙ୍କ ଲିଙ୍କେଜ, ଜୀବିକା କ୍ଲଷ୍ଟର, ବୁକ୍ କିପିଂ ଟ୍ରେନିଂ, ଗ୍ରୁପ ମିଶନ ଶକ୍ତି ଋଣ ବିଷୟରେ ଅଵଗତ କରାଇବା ସହ FPO ଗୁଡ଼ିକ କିପରି ଲାଭବାନ ହେଇପାରିବେ ସେ ବିଷୟରେ ଧାରଣା ଦେଇଥିଲେ। ଏତଦ୍ ବ୍ୟତୀତ ସ୍ଵୟଂ ସ୍ଵାଧୀନ  FPO ର ଅଧ୍ୟକ୍ଷା ଶ୍ରୀମତୀ ପାର୍ବତୀ ନାୟକ ଜଗତସିହପୁର ଜିଲ୍ଲାର ସମସ୍ତ FPO ଏକତ୍ରିତ ହୋଇ ନିଜ ଭିତରେ ନିୟମିତ ଯୋଗସୂତ୍ର ଗଢ଼ିବାକୁ ପରାମର୍ଶ ଦେଇଥିଲେ ଏବଂ ନିଜର ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ।

ତେବେ ଏହା ଜଗତସିଂପୁର ଜିଲ୍ଲାର କୃଷି ଅର୍ଥନୀତିରେ ଏକ ବୃହତ୍ ପରିବର୍ତ୍ତନ ଆଣିପାରିବ ଏବଂ FPO ଗୁଡ଼ିକ ସ୍ବାବଲମ୍ବୀ ହେବା ସହିତ ଅନ୍ୟ କୃଷକ ମାନଙ୍କୁ ମଧ୍ୟ ଉତ୍ସାହିତ କରିପାରିବେ। ଏତତ୍ ବ୍ୟତୀତ ଏହି ତାଲିମ ଶିବିରରେ ଡ଼ ଦ୍ବାରିକା ମୋହନ ଦାସ ବିଭିନ୍ନ ବିଭାଗର ବିଭିନ୍ନ ସରକାରୀ ସହାୟତା ତଥା ସ୍କିମ୍ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ଡ଼ ତପନ କୁମାର ପଲାଇ, ସସ୍ମିତା ପୁରୋହିତ,ସରିତା ଦାସ, ରବୀନ୍ଦ୍ର କୁମାର ପ୍ରଧାନ ଗୋପାଳନ, କୁକୁଡ଼ା ପାଳନ, ଛତୁ ଚାଷ, ମାଛ ଚାଷ, ପନିପରିବା ଓ ଫୁଲ ଚାଷ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିଥିଲେ। ସର୍ବଶେଷ ରେ FPO ଗୁଡ଼ିକ କିପରି ଏକତ୍ରିତ ହୋଇ ଉତ୍ପାଦନ, ବଜାର କରଣ, ମୂଲ୍ୟ ବୃଦ୍ଧି ଓ ସଂଗଠନ ଶକ୍ତି ମାଧ୍ୟମରେ ଉପକାର ପାଇପାରିବେ ସେ ପ୍ରତି ଧ୍ୟାନ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜଶ୍ରୀ ସିଂ, ଉର୍ବଶୀ ନାୟକ, ରୁଦ୍ରପ୍ରତାପ ସ୍ୱାଇଁ ଓ ବଳିଆ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *