ଗରଦପୁର,୩୦/୬/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ର କୋରୁଆ ସ୍ଥିତ ଗରଦପୁର ଆଗ୍ରୋଫେସ୍ ଫାରମର୍ସ ପ୍ରଡୁ୍ୟସର କମ୍ପାନୀ ଲିମିଟେଡ୍ କାର୍ଯ୍ୟାଳୟ ପରିସରରେ ଅର୍ଦ୍ଧଶୁଷ୍କ ଉଷ୍ମ-ଆର୍ଦ୍ର ଜଳବାୟୁ ପାଇଁ ଅନ୍ତଃରାଷ୍ଟ୍ରୀୟ ଶସ୍ୟ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ସହାୟତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଶସ୍ୟ ଗବେଷଣା ପ୍ରତିଷ୍ଠାନର ସହକାରୀ ବୈଜ୍ଞାନିକ ଡ. ଶାଶ୍ୱତ କୁମାର ପାଣି, ବରିଷ୍ଠ ଅଧିକାରୀ ଶ୍ରୀନୁ ବାନୋଥ, ଲକ୍ଷ୍ମୀକାନ୍ତ ଜି, ଗରଦପୁର ବ୍ଲକ୍ କୃଷି ଅଧିକାରୀ ଗୌତମ ଦାସ, ଉଦ୍ୟାନକୃଷି ଅଧିକାରିଣୀ ପ୍ରମୁଖ ଯୋଗଦେଇ ସମନ୍ୱିତ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ସମ୍ବେଦନଶୀଳତା ଓ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ସଂରକ୍ଷଣ ଗୃହ ପ୍ରତିଷ୍ଠା ଦ୍ୱାରା ପରିବା ର ସତେଜତା ବୃଦ୍ଧି ସହ ଚାଷୀ ଉଚିତ୍ ମୂଲ୍ୟ ପାଇ ପାରିବ ବୋଲି କହିଥିଲେ । ଏପରିକି ଚାଷୀମାନେ ପରିବା ଓ ନିଜ କୃଷି ଉତ୍ପାଦିତ ଶସ୍ୟ କିପରି ସଂରକ୍ଷଣ କରି ସତେଜ ରଖିବେ ସେ ନେଇ ବିଭିନ୍ନ ପରାମର୍ଶ ଦେଇ ଚାଷୀମାନଙ୍କୁ ସଚେତନ କରିଥିଲେ । ନିୟନ୍ତ୍ରିତ ବଜାର କମିଟି ସଂପାଦକ ସଚିଦାନନ୍ଦ ଜେନା ଉପସ୍ଥିତ ଥିବାବେଳେ ଗରଦପୁର ଆଗ୍ରୋଫେସ୍ ର ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଗ୍ରୋଫେସ୍ ର ନିର୍ଦ୍ଧେଶକ ହେମନ୍ତ ଦାସ, ଉମାନାଥ ପଟ୍ଟନାୟକ, ଚାଷୀ ରବିନ୍ଦ୍ରନାଥ ମହାନ୍ତି, ପ୍ରତାପ ପାତ୍ର, ପ୍ରଦୀପ ବେହେରା, ରାଧାକାନ୍ତ ସାହୁ, ଖଗେଶ୍ୱର ସାହୁଙ୍କ ସମେତ ବିଭିନ୍ନ ପଂଚାୟତର ପ୍ରମୁଖ ଚାଷୀମାନେ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।