ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅନୁଷ୍ଠିତ

ଯାଜପୁର,୦୪/୦୪/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଦଶରଥପୁର ବ୍ଲକ ସ୍ଥିତ ପିଏମ୍ ଶ୍ରୀ ରାମ ଲକ୍ଷ୍ମଣ ସରକାରୀ ହାଇସ୍କୁଲ, ଖଣ୍ଡରାଠାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ୱାଇଁ ଯୋଗ ଦେଇଥିଲେ। ଶିଶୁମାନଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା ଏବଂ ମନ୍ତ୍ରପାଠ ପରେ ଅତିଥିମାନେ ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀରେ ବହୁ ସଂଖ୍ୟାରେ ଶିଶୁଙ୍କ ଖଡ଼ିଛୁଆଁ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବକ୍ତବ୍ୟରେ କହିଥିଲେ ଯେ ରାଜା କେବଳ ନିଜ ଦେଶରେ ସମ୍ମାନ ପାଏ, କିନ୍ତୁ ଜ୍ଞାନୀ ବ୍ୟକ୍ତି ସର୍ବତ୍ର ଦେଶ ବିଦେଶରେ ମଧ୍ୟ ସମ୍ମାନ ପାଏ।

ଶିକ୍ଷା ହିଁ ଜୀବନରେ ଉନ୍ନତିର ପ୍ରମୁଖ ମାଧ୍ୟମ ବୋଲି କହିବା ସହ ସେ ଶିଶୁମାନଙ୍କ ଉଚିତ ଯତ୍ନ ନେବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଦଶରଥପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟବ୍ରତ ପାଣିଗ୍ରାହୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶାନ୍ତିଲତା ସେଠୀ, ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଆଲୋକ କୁମାର ବନ୍ଧ ଏବଂ ଶ୍ରୀମତୀ ସବିତା ସାହୁ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଶ୍ରୀ ତୁଷାରକାନ୍ତି ମିଶ୍ର ପୌରହିତ୍ୟ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମହେଶ୍ୱର ସାହୁ ଏହାର ସଫଳ ରୂପାୟନ କରିଥିଲେ। ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ଗୁଞ୍ଜନ” ଉନ୍ମୋଚନ କରିଥିଲେ।  ନୂଆ କରି ବିଦ୍ୟାଳୟରେ ପ୍ରବେଶ କରିଥିବା କୁନି କୁନି ଶିଶୁମାନଙ୍କୁ ସିଲଟ, ବ୍ୟାଗ୍ ସହ ମିଷ୍ଟାନ୍ନ ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା।

ଏହାପରେ ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ଅତିଥିମାନେ “ଆସ ସଭିଏଁ ସ୍କୁଲ ଯିବା” ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ। ବିଦ୍ୟାଳୟ ପକ୍ଷରୁ ରଙ୍ଗ ଦୁନିଆ, ଗପ ରାଇଜ, ଖେଳ ଘର ଇତ୍ୟାଦି ଷ୍ଟଲ୍ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପୂର୍ବତନ ଶିକ୍ଷକ, ଅଭିଭାବକ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *