ଜିଲ୍ଲାର ୧ ଲକ୍ଷ ୩ ହଜାର ଚାଷୀ ହେବେ ଉପକୃତ ।
ଢ଼େଙ୍କାନାଳ, ୧୯/୧୧/୨୦୨୫ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ତାମିଲନାଡୁର କୋଏମ୍ବାଟୁର ଠାରୁ ଆଭାସୀ ମାଧ୍ୟମରେ ପି.ଏମ୍. କିଷାନ ସମ୍ମାନ ନିଧି ଯୋଜନାର ୨୧ ତମ କିସ୍ତି ଅର୍ଥ ରାଶି ଡ଼ି.ବି.ଟି. ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ୯ କୋଟି ଚାଷୀ ଭାଇ ଭଉଣୀମାନଙ୍କୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସେ ଭାରତବର୍ଷର ସମସ୍ତ କୃଷକ ଭାଇ-ଭଉଣୀ ଓ କୃଷି ବିଜ୍ଞାନୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ କୃଷି କାର୍ଯ୍ୟକୁ ଅଧିକ ସମୃଦ୍ଧ କରିବା ପାଇଁ ଯୁବପିଢୀ ମାନେ ଆଗ୍ରହର ସହିତ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି । ଏହି ଉପଲକ୍ଷେ ଭୁବନେଶ୍ଵର ସ୍ଥିତ କୃଷି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚ଼ରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଯୋଜନା ଯୋଗୁଁ ଆଜି ରାଜ୍ୟର ୩୪ ଲକ୍ଷ ୧୨ ହଜାର ଚାଷୀ ଭାଇ ଭଉଣୀ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପାଉଛନ୍ତି ବୋଲି ସୂଚ଼ନା ପ୍ରଦାନ କରିଥିଲେ । ଏହି ଅବସରରେ ସେ କୃଷକ ଭାଇ ଭଉଣୀମାନଙ୍କ ସହିତ ବାର୍ତ୍ତାଳାପ କରି ସେମାନେ ଧାନ ଚାଷ ସହିତ ଡାଲି ଓ ତୈଳ ଜାତୀୟ ଫସଲ , ପନିପରିବା, ମାଛ ଓ କୁକୁଡ଼ା ଚାଷ, ମହୁ ଚାଷ, ବିଭିନ୍ନ ଫଳ ଚାଷ ଆଦି କରିବାକୁ ଉତ୍ସାହିତ କରିଥିଲେ । ଏହି କିସ୍ତି ଅର୍ଥକୁ ବିଶେଷ କରି କ୍ଷୁଦ୍ର ଚାଷୀ ଓ ଅନୁନ୍ନତ ଜନଜାତିର ଚାଷୀମାନେ କୃଷି କାର୍ଯ୍ୟରେ ବିନିଯୋଗକରି ଲାଭାନ୍ୱିତ ହେବେ ବୋଲି କହିଛନ୍ତି । କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସମସ୍ତ ପ୍ରକାରର ଆବଶ୍ୟକ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି । ଏହି ଉପଲକ୍ଷେ ଆଜି ଅପରାହ୍ନରେ କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଏକ ସଭା ଆୟୋଜନ ହୋଇଥିଲା ।
ପୌରଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ, ଏହି କିସ୍ତି ଅର୍ଥ ପ୍ରଦାନ କୃଷକମାନଙ୍କ ପାଇଁ ଏକ ସମ୍ମାନ ସୂଚ଼କ ବୋଲି କହିଥିଲେ । କୃଷକ ଭାଇ ଭଉଣୀ ମାନେ ଆତ୍ମନିଭରଶୀଳ ହୋଇ ସମ୍ମାନର ସହ ଜୀବନ ଯାପନ କରନ୍ତୁ ବୋଲି ଆଶା ବ୍ୟକ୍ତ କରିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ଵନାଥ ଦାସ ସ୍ୱାଗତ ଭାଷଣ ଦେଇ,ଏହି ଯୋଜନାରେ ଜିଲ୍ଲାର ୧ ଲକ୍ଷ ୩ ହଜାର ଜଣ ଚାଷୀ ଭାଇ ଭଉଣୀ ଉପକୃତ ହେବେ ବୋଲି ସୂଚ଼ନା ଦେଇଥିଲେ । ଏହି ଉତ୍ସବରେ ସାଂସଦଙ୍କ ପ୍ରତିନିଧି ଶ୍ରୀ ନରେଶ ଚ଼ନ୍ଦ୍ର ମହାପାତ୍ର, ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଉମା ଶଙ୍କର ଦାସ, ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସ୍ମରଣିକା ଦାଶ, ଢେଙ୍କାନାଳ ଏ.ଡ଼ି.ଓ. ଶ୍ରୀ ଜ୍ଞାନେନ୍ଦ୍ର କୁମାର ଦଳେଇ, କାମାକ୍ଷାନଗରର ଏ.ଡ଼ି.ଓ. ଶ୍ରୀ ପ୍ରଦୀପ୍ତ କୁମାର ବେଉରା, ସ୍କିମ୍ ଅଫିସର ସୃତି ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ତଥା ମୁଖ୍ୟ କୃଷି ବିଜ୍ଞାନୀ ଶ୍ରୀ ବିମଳେନ୍ଦୁ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
