ସାଲେପୁର୧୯/୧୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନେ ଜୀବନର ବାସ୍ତବ ସ୍ୱପ୍ନ ସାକାର କରିବା ପାଇଁ ନିଜ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା, ତ୍ୟାଗ ଓ ଶୃଙ୍ଖଳାକୁ ଆଧାର କରି ଅଗ୍ରସର କରିବାକୁ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସାଲେପୁର ବ୍ଲକ ଗୋପୀନାଥପୁରସ୍ଥ ସେଣ୍ଟ ଜାଭିୟର ହାଇସ୍କୁଲର ୧୬ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାର ତଥା ଜାତୀୟ ପୁରସ୍କାରପ୍ରାପ୍ତ ପରିବେଶବିତ ପ୍ରମୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରାକ୍ତନ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଡ. ଉପେନ୍ଦ୍ରନାଥ ବେହେରା ଉଦ୍ଘାଟନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ସୁନାମଧନ୍ୟ ଚଳଚିତ୍ର କଳାକାର ଅରିନ୍ଦମ୍ ରାୟ, ସମ୍ମାନୀତ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ଯୋଜନା ସହାୟକ ଭରତ ଚନ୍ଦ୍ର ଜେନା, ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ତଥା ବିଦ୍ୟାଳୟ ସଂପାଦକ ପ୍ରଦୀପ୍ତ କୁମାର ଦାଶ ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟର ଶୈକ୍ଷିକ ବିକାଶରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନଙ୍କ ଗୁରୁଦାୟିତ୍ୱ ଅଛି ବୋଲି ମତ ଦେଇଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିବିଧ ଆକର୍ଷଣୀୟ ଦଳଗତ ନୃତ୍ୟ ଶୋଭାବର୍ଦ୍ଧନ କରିଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ମିଶ୍ରଙ୍କ ପ୍ରତ୍ୟକ୍ଷ ସଂଯୋଜନାକ୍ରମେ ଦିପ୍ତିକାନ୍ତ ଜେନା, ଦିପ୍ତିମୟୀ ବାରିକ, ଦୁର୍ଗାପଦ ନାୟକ, ପ୍ରିୟଙ୍କା ମହାନ୍ତି, କୃଷ୍ଣା ମହାରଣା, ସୁଜାତା ଶତପଥି, ଅର୍ପିତା ପରିଡା, ଯଶୋବନ୍ତୀ ଭୂୟାଁ, ରାଜଶ୍ରୀ ମହାନ୍ତି, ଭାରତୀ ଶତପଥି, ସୋମା ସାଗରିକା କୁଣ୍ଡୁ, ଚିନ୍ମୟୀ ଦାସ, ଫରାତ ଆରା, ମଧୁସ୍ମିତା ନାୟକ, ଡଲିପ୍ତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ଅଭିଭାବକ ଏବଂ ବହୁ ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ ।
