ରେବତୀ କାନ୍ତ ଶାସ୍ତ୍ରୀଙ୍କ ୧୮ତମ ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର,୧୧/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନେଶ୍ୱର ବାର ଆସୋସିଏସନ ଓ ପୂଜ୍ୟ ପୂଜା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ଗୀତ ଗୋବିନ୍ଦ ସଦନ ଠାରେ ଆଇନଜ୍ଞ ଓ ଜ୍ୟୋତିର୍ବିଦ ପଣ୍ଡିତ ରେବନ୍ତୀ କାନ୍ତ ଶାସ୍ତ୍ରୀଙ୍କ ୧୮ତମ ଶ୍ରାଦ୍ଧ ଉତ୍ସବ ପୂଜ୍ୟପୂଜା ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜ୍ଞ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ନ୍ୟାୟମୂର୍ତି ଶ୍ରୀ ଭି. ନରସିଂହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି କହିଲେ ଯେ ସ୍ୱର୍ଗତ ଶାସ୍ତ୍ରୀ ଏକାଧାରରେ ଜଣେ ସୁ ସଂଗଠକ, ଆଇନଜ୍ଞ ଓ ଜ୍ୟୋତିର୍ବିଦ ଥିଲେ । ଗଣତି ଜ୍ୟୋତିଷ ଗଣନାରେ ସେ ସିଦ୍ଧହସ୍ତ ଥିଲେ । ଆଜି ମଧ୍ୟ ତାଙ୍କର ବହୁ ପ୍ରଶଂସକ ଅଛନ୍ତି । ଫଳିତ ଜ୍ୟୋତିଷକୁ କେହି ହୁଏତ ଭୁଲ ପ୍ରମାଣିତ କରିଦେଇ ପାରେ କିନ୍ତୁ ଗଣିତ ଜ୍ୟୋତିଷକୁ କୌଣସି ସମୟରେ ଭୁଲ ପ୍ରମାଣିତ କରି ହେବ ନାହିଁ । ଭୁବନେଶ୍ୱର ବାର ଆସୋସିଏସନ ଏଭଳି ଏକ ପୂଜ୍ୟ ପୂଜା କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ଧନ୍ୟବାଦର ପାତ୍ର ।
ମୁଖ୍ୟବକ୍ତା ବିଶିଷ୍ଟ ସଂସ୍କୃତବିଦ୍ୱାନ ପ୍ରଫେସର ଡଃ ପ୍ରଫୁଲ୍ଲ ମିଶ୍ର କହିଲେ ଯେ ସମାଜରେ ଆଜି ପୂଜ୍ୟ ପୂଜା କ୍ଷେତ୍ରରେ ଯୁବକମାନେ ଭାଗିଦାରୀ ହେଉନାହାନ୍ତି ଏହା ସମାଜ ପାଇଁ ଶୁଭଙ୍କର ନୁହେଁ । ଜ୍ୟୋତିଷ ଶାସ୍ତ୍ରରେ ଗବେଷଣା କେବଳ ଭାରତ ବର୍ଷରେ ହେଉନାହିଁ, ଜର୍ମାନ ଭଳି ଦେଶରେ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ଗବେଷଣା ହୋଇ ସାଧାରଣ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ଆବଶ୍ୟକତା ଉପରେ ଗବେଷକମାନେ ମତ ରଖିଛନ୍ତି ।
ସମ୍ବାନୀତ ଅତିଥି ଭୁବନେଶ୍ୱର ବାର ଆସୋସିଏସନର ସଭାପତି ଅଶୋକ କୁମାର ପାତ୍ର, ଆସୋସିଏସନ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କ କର୍ତବ୍ୟ ନିଷ୍ଠା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଅତିରିକ୍ତ ଶାସନ ସଚିବ ଶ୍ରୀ ଶ୍ରୀନିବାସ ରଥ, ଜ୍ୟୋର୍ତିବିଦ୍ୟା ବାଚଷ୍ପତି ଶ୍ରୀ ବୈକୁଣ୍ଠ ନାଥ ନାୟକ ଓ ଆଇନ ଗବେଷକ ଶ୍ରୀ ସମ୍ବୁ ପାଣିଗ୍ରାହୀଙ୍କୁ ୨୦୨୫ ବର୍ଷର ରେବତୀ କାନ୍ତ ଶାସ୍ତ୍ରୀ ସ୍ମୃତି ସମ୍ମାନ ମୁଖ୍ୟ ଅତିଥି ନ୍ୟାୟମୂର୍ତି ଶ୍ରୀ ନରସିଂହ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାମାନେ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀ ଆଜିକୁ ୪୦ବର୍ଷ ତଳେ କିଭଳି ସାମନ୍ତ ଚନ୍ଦ୍ର ଶେଖର ଜ୍ୟୋତିଷ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠାକରିଥିଲେ ତାର ସୂଚନା ଦେଇଥିଲେ ।
ଏହି ଅବସରରେ ସ୍ମାରକୀ ବକ୍ତା ଅନାମ ଚରଣ ସାହୁ ଭାରତବର୍ଷରେ ଜ୍ୟୋତିଷ ଶାସ୍ତ୍ର ଓ ସାମନ୍ତ ଚନ୍ଦ୍ରଶେଖରଙ୍କ ଗଣନାଉପରେ ଏକ ତୁଳନାତ୍ମକ ବକ୍ତବ୍ୟ ରଖିଥିଲେ । ଭୁବନେଶ୍ୱର ବାର ଆସୋସିଏସନର ସଂପାଦକ ସତ୍ୟ ରଞ୍ଜନ ସେନାପତି ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କ ମୂଲ୍ୟବୋଧ ଓ ସମାୟାନୁବର୍ତିତା ଉପରେ ସୂଚନା ଦେଇଥିଲେ ।
ଭୁବନେଶ୍ୱର ବାର ଆସୋସିଏସନର ନୂତନ ଯୁବ ଆଇନଜୀବି ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନ ପତ୍ର ଓ ପୁସ୍ତକ ପ୍ରଦାନ କରିବା ପରେ ସ୍ୱର୍ଗତ ଶାସ୍ତ୍ରୀଙ୍କ ସୁପୁତ୍ର ଆଡଭୋକେଟ ଶ୍ରୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନପତ୍ର ପାଇଥିବା ଯୁବ ଆଇନଜୀବି ହେଲେ ଅମ୍ରିତା ଶତପଥି, ରୁଦ୍ର ପ୍ରସାଦ ସେନାପତି, ଅଭିଲିପ୍ସା ମହାନ୍ତି, ସୌମ୍ୟଦିପ ପ୍ରସାଦ ଓ ସୀମରନ ରାଉତରାୟ । ଏ ସମସ୍ତ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ବାର ଆସୋସିଏସନର ଉପସଭାପତି କବିନ୍ଦ୍ର ବାରିକ, ସହ ସଂପାଦକ ରଶ୍ମି ମହାନ୍ତି, ପୂଜ୍ୟ ପୂଜା ଟ୍ରଷ୍ଟର ଉପସଭାପତି ସୀତାବଲ୍ଲଭ ମହାପାତ୍ର, ଆଇନଜୀବି ଆଦିଶା ମହାନ୍ତି ଓ ଟ୍ରଷ୍ଟି ଶିଳାଦିତ୍ୟ ଶାସ୍ତ୍ରୀ ଓ ବାରର କର୍ମକର୍ତାମାନେ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ପୁଲିସ ପ୍ରଶାସକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଦୟାଲ ଗଙ୍ଗୁଆର, ଅତିରିକ୍ତ ଦୌରା ଜଜ୍ ବନ୍ଦନା କର, ସିବିଆଇ ଜଜ ସଂଜୀବ ଦୁବେ ପ୍ରମୁଖ ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
