ତିନି ବର୍ଷ ହେବ ହସଖୁସିରେ ଚାଲିଛି ପରିବାର – – ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଦେଉଛନ୍ତି ସେବା
କେନ୍ଦ୍ରାପଡ଼ା, ୧୦/୧୧/୨୦୨୫(ଓଡ଼ିଶା ସମାଚାର)- ମିଶନ ଶକ୍ତି ମେଡିକାଲ କ୍ୟାନ୍ଟିନ ଚଲାଇ ସ୍ୱାବଲମ୍ବୀ ହୋଇଛନ୍ତି ପଲ୍ଲୀ ପ୍ରଦ୍ୟୋତ ଏସ ଏଚ ଜି ଗ୍ରୁପର ଦଶ ମହିଳା । ହସ ଖୁସିରେ ଚାଲିଛି ପରିବାର । ରୋଗୀମାନଙ୍କୁ ଦେଉଛନ୍ତି ସେବା । ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମିଶନ ଶକ୍ତି ମେଡିକାଲ କ୍ୟାନ୍ଟିନ ଚଲାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ଗଞ୍ଜା ଗାଁର ପଲ୍ଲୀ ପ୍ରଦ୍ୟୋତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ । ୨୦୨୨ମସିହାରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମେଡିକାଲ କ୍ୟାନ୍ଟିନକୁ ନିଜ ଦାଇତ୍ୱରେ ନେଇଥିଲେ । ସେବେଠାରୁ ଏହି ମହିଳାମାନେ କ୍ୟାନ୍ଟିନ ଚଲାଇ ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାରକୁ ହସ ଖୁସିରେ ଚଳାଉଛନ୍ତି । ପିଲାମାନଙ୍କ ପାଠପଢା ସହ କିଛି କିଛି ଟଙ୍କା ମଧ୍ୟ ସଂଚୟ କରୁଥିବା କହିଛନ୍ତି ସେହି ଗୋଷ୍ଠୀର ଜଣେ ମହିଳା ।
ପ୍ରତିଦିନ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବ୍ଲକର ୨୯ ପଂଚାୟତର ଶହ ଶହ ରୋଗୀ ମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ଗରିବ ରୋଗୀମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ବବିତା ମହାରଣା ଓ ସମ୍ପାଦିକା ରଞ୍ଜିତା ମଞ୍ଜରୀ ପ୍ରଧାନ କହିଛନ୍ତି । ଏହି ମହିଳାମାନଙ୍କର ଆଗରୁ ବହୁ ଅସୁବିଧା ରେ ପରିବାର ଚାଲୁଥିଲା । ପିଲାମାନଙ୍କୁ ଠିକ୍ ଭାବରେ ପାଠ ପଢାଇ ପାରୁ ନଥିଲେ । ହେଲେ ତିନି ବର୍ଷ ହେବ ପାଳି କରି ପ୍ରତ୍ୟକ ଦିନ ତିନି ଜଣ ମହିଳା ନିଜ ଘର କାମ ସାରି ସକାଳୁ କ୍ୟାନ୍ଟିନ କୁ ଆସିଥାନ୍ତି । ବଜାରରୁ ପନିପରିବା କିଣିବା ସହ ସଉଦାପତ୍ର କରି କ୍ୟାନ୍ଟିନରେ ଘରୋଇ ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରି ଖାଇବାକୁ ଆସୁଥିବା ଲୋକମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଦେଇଥାନ୍ତି । ଜଣେ ମହିଳା ଆସୁଥିବା ଅସହାୟ ରୋଗୀମାନଙ୍କୁ ସାହାଯ୍ୟ ସହଯୋଗ ଲାଗି ଦାଇତ୍ୱରେ ରହିଥାନ୍ତି ।
ଜିଲାରେ ଅନେକ ମିଶନ ଶକ୍ତି କ୍ୟାନ୍ଟିନ ବନ୍ଦ ହୋଇଯାଇଥିବା ବେଳେ ଏହି କ୍ୟାନ୍ଟିନ ଚଲାଇ ହସ ଖୁସିରେ ଚାଲୁଛନ୍ତି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । ଏହି କ୍ୟାନ୍ଟିନକୁ ବୁଲି ଦେଖିବାକୁ ବାହାର ଜିଲାର ମହିଳା ଓ ମିଶନ ଶକ୍ତି ବିଭାଗର ଅଧିକାରୀ ମାନେ ବିଭିନ୍ନ ସମୟରେ ଆସିଛନ୍ତି । ପୂର୍ବତନ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଏହି କ୍ୟାନ୍ଟିନ କୁ ପରିଦର୍ଶନ କରି ମହିଳା ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଯଦି ସରକାରଙ୍କ ପକ୍ଷରୁ ଏହି କ୍ୟାନ୍ଟିନରେ ଥିବା ଶୌଚାଳୟ ସମସ୍ୟାର ସମାଧାନ ସହ ବଡ଼ ଘର ଯୋଗାଇ ଦିଆଯାଏ ତେବେ ଆହୁରି ଆଗକୁ ଯାଇ ପାରିବେ ବୋଲି ଏହି ଗୋଷ୍ଠୀର ମହିଳା ମାନେ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରି କହିଛନ୍ତି ।
