ରଘୁନାଥପୁର, ୦୩/୧୧/୨୦୨୫(ଓଡ଼ିଶା ସମାଚାର)- ରଘୁନାଥପୁର ଶିକ୍ଷା ମଣ୍ଡଳ ଅଧିନସ୍ଥ ବିଦ୍ୟାଧରପୁର ଗୋରେଖନାଥ ବିଦ୍ୟାପୀଠ ପରିସରରେ ବ୍ଲକସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ଆଶୁତୋଷ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡ଼ା ପତାାକା ଉତୋଳନ କରି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । କ୍ରୀଡା ଶିକ୍ଷାର୍ଥୀଙ୍କ ପାଇଁ ଅମୂଲ୍ୟ ସମ୍ପଦ ଓ ଏହା ଶରୀରକୁ ସୁସ୍ଥ ଓ ମନକୁ ପ୍ରଫୁଲ୍ଲ ରଖେ ବୋଲି ସେ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ଯୋଗାଣିଆ, ପଂଚସଖା ଶିକ୍ଷା ସେତୁ ସଭାପତି ରଞ୍ଜନ କୁମାର ବାରିକ,ଏସଏମସି ସଭାପତି ଜଗନ୍ନାଥ ସେଠୀ, ଖବରଦାତା ପ୍ରଦିପ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଶରୀର ଗଠନରେ କ୍ରୀଡାର ଭୂମିକା ଓ ମାନସିକ ଅବସାଦରୁ କିପରି ମୁକ୍ତ ରଖେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହାଛଡା ପ୍ରତିଯୋଗିତା ମୂଳକ ମନୋଭାବ ରଖି ଖେଳିଲେ ଭବିଷ୍ୟତରେ ଜଣେ ଶ୍ରେଷ୍ଠ ଖେଳାଳି ଭାବେ ସୁନାମ ଅର୍ଜନ କରିପାରିବ ବୋଲି ବକ୍ତାମାନେ କହିଥିଲେ ।
ଏଥିରେ ଶିକ୍ଷକ ବିଷ୍ଣୁଚନ୍ଦ୍ର କର ବେଦପାଠ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ଲକ କ୍ରୀଡା ସଂପାଦକ ଶୁକଦେବ ଜେନା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଦୌଡ ପ୍ରତିଯୋଗିତାରେ ଦୁଇଟି ଜୋନର ୧୦୦ଜଣ କ୍ରୀଡାବିତ ଭାଗ ନେଇଥିଲେ ।
ଫୁଟବଲ ଖେଳରେ ବଙ୍କଳ ବିଭାଗରୁ ୧୨ଜଣ ଓ ବାଳିକା ବିଭାଗରୁ ୧୨ଜଣ କ୍ରୀଡାବିତ୍ ଜିଲାସ୍ତରୀୟ ଫୁଟବଲ ମ୍ୟାଚକୁ ମନୋନୀତ ହୋଇଥିଲେ । କ୍ରୀଡା ଶିକ୍ଷକ ଅମୂଲ୍ୟ ପାତ୍ର, ନସିମୁଦ୍ଧିନ ଖାଁ, ରଜନୀକାନ୍ତ ମଲ୍ଲ, ଅବିନାଶ ମହାପାତ୍ର, ଶିକ୍ଷୟିତ୍ରୀ ସ୍ମିତାଞ୍ଜଳି ବେହେରା, ନିହାରିକା ସ୍ୱାଇଁ , ସକୁନ୍ତଳା ସେଠୀ, ନମିତା ଖଣ୍ଡୁଆଳ ପ୍ରମୁଖ ଏହି କ୍ରୀଡା ପ୍ରତିଯୋଗୀତା ପରିଚାଳନା କରିଥିଲେ ।
