ଭୁବନେଶ୍ୱର,୨୯/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ବୁଧବାର ଦିନ ରାଜଭବନ ସେକ୍ରେଟାରିଏଟ୍ ର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି । ମିନି କନ୍ଫରେନ୍ସ ହଲ୍ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅଧିକାରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟାଧାରା ଓ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟପାଳ ସମୀକ୍ଷା କରି ଉଚ୍ଚ ଶିକ୍ଷା, ଜନଜାତି କଲ୍ୟାଣ ଏବଂ ଜନସେବା ଇତ୍ୟାଦି କାର୍ଯ୍ୟକଳାପ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ସରକାରୀ କାର୍ଯ୍ୟ ଓ ଜନସେବା କାର୍ଯ୍ୟକଳାପର ସୁପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ଟିମ୍ ୱାର୍କ, ସମୟୋଚିତ ସମନ୍ୱୟ ଏବଂ ଅଧିକାରୀମାନଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଏତଦ୍ବ୍ୟତୀତ ରାଜଭବନର ସମସ୍ତ ବିଭାଗ ଦକ୍ଷତା ବଜାୟ ରଖିବା ସହିତ ଦୈନନ୍ଦିନ କାର୍ଯ୍ୟର ସୁଗମ ପରିଚାଳନା କରିବା ପାଇଁ ରାଜ୍ୟପାଳ ନିର୍ଦ୍ଧେଶ ଦେଇଥିଲେ ।
ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅନ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
