୨୫ ନଭେମ୍ବର ଦିଲ୍ଲୀ ଚଲୋ
ପୁରୁଣା ପେନସନ୍ ଲାଗି ଏନ୍.ଏମ୍.ଓ.ପି.ଏସ୍.ର ସାମ୍ବାଦିକ ସମ୍ମିଳନୀ
ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରନ୍ତୁ
ଭୁବନେଶ୍ୱର,୨୬/୧୦/୨୦୨୫(ଓଡ଼ିଶା ସମାଚାର)-“ପୁରୁଣା ପେନସନ୍ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍.ଏମ୍.ଓ.ପି.ଏସ୍), ଓଡ଼ିଶା ପକ୍ଷରୁ ନୂତନ ପେନସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ୍ ଲାଗୁ କରିବା ନିମନ୍ତେ ରବିବାର ଭୁବନେଶ୍ୱରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସଭାପତି ବିଜୟ ମଲ୍ଲଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳଙ୍କ ପରିଚାଳନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍.ଏମ୍.ଓ.ପି.ଏସ୍ ଓଡ଼ିଶାର ସମସ୍ତ କର୍ମକର୍ତା ତଥା ରାଜ୍ୟର ସମସ୍ତ ସଂଗଠନର ସଭାପତି, ସମ୍ପାଦକ, ଜିଲା ନେତୃତ୍ୱ ଓ ବିଭାଗର ମୁଖ୍ୟମାନେ ଯୋଗ ଦେଇଥିଲେ ।
ଆସନ୍ତା ନଭେମ୍ବର ୨୫ ଦିଲ୍ଲୀଠାରେ ଦେଶର ସବୁ ରାଜ୍ୟର କର୍ମଚାରୀମାନେ ମହାଆନ୍ଦୋଳନ କରି ଏନ୍.ପି.ଏସ୍. କି ୟୁ.ପି.ଏସ୍ ନୁହେଁ, ପୁରୁଣା ପେନସନ୍ କର୍ମଚାରୀଙ୍କର ଅଧିକାର, ତାହାକୁ ହାସଲ କରିବା ପାଇଁ ଗର୍ଜନ ସମାବେଶ କରିବେ । ଏହି ସମାବେଶରେ ଓଡ଼ିଶାର ସମସ୍ତ ଏନ୍ପିଏସ୍ କର୍ମଚାରୀ ଯୋଗ ଦେବା ପାଇଁ ଏନ୍.ଏମ୍.ଓ.ପି.ଏସ୍ ତରଫରୁ ଅନୁରୋଧ କରାଯାଇଛି ।
ଏବେକାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ପୂର୍ବ ସରକାର ବିରୋଧୀ ଦଳର ମୁଖ୍ୟ ସଚେତକ ଥିଲେ, ସେତେବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଯଦି ଛତିଶଗଡ଼, ରାଜସ୍ଥାନ ପୁରୁଣା ପେନସନ କରିପାରୁଛନ୍ତି, ତାହେଲେ ଓଡ଼ିଶା ସରକାର କାହିଁକି କରିପାରିବେନି । ଏହା କେବଳ ସରକାରଙ୍କର ଆନ୍ତରିକତାର ଅଭାବ ବୋଲି କହିଥିଲେ । ଏବେ ଯେହେତୁ ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର କର୍ମଚାରୀ ଆଶା ରଖିଛନ୍ତି ରାଜ୍ୟ ସରକାର ନିଶ୍ଚିତ ପୁରୁଣା ପେନସନ ଲାଗୁ କରିବେ ।

ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନୂତନ ପେନସନ୍ ସ୍କିମ୍ (ଏନ୍.ପି.ଏସ୍.) ପରିବର୍ତେ ପୁରୁଣା ପେନସନ ସ୍କିମ୍ (ଓ.ପି.ଏସ୍) ଲାଗୁ କରିବା ପାଇଁ ସମସ୍ତେ ଏକ ସ୍ୱରରେ ଶପଥ ନେଇଥିଲେ । କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନସନ୍ ଉଚ୍ଛେଦ କରି ନୂତନ ପେନସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୩୦ରୁ ୩୫ ବର୍ଷ ଚାକିରି କରି ଅବସର ପରେ ୧୦୦୦ରୁ ୧୨୦୦ ଟଙ୍କା ପେନସନ୍ ପାଇ ଅତି ଦୁର୍ଦ୍ଧିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନସନ୍ ପୂର୍ବପରି ପାଉଛନ୍ତି । ନିକଟରେ କେନ୍ଦ୍ର ସରକାର ଏକ କମିଟି କରି ଏନ୍.ପି.ଏସ୍ ଉଚ୍ଛେଦ କରିବା ପରିବର୍ତେ ୟୁ.ପି.ଏସ୍ ଘୋଷଣା କରିଥିଲେ ।
ତାହାକୁ ଓଡ଼ିଶା ସମେତ ସବୁ ରାଜ୍ୟ ବିରୋଧ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଏନି.ପି.ଏସ୍.ରୁ ୟୁ.ପି.ଏସ୍କୁ ପରିବର୍ତନ କରିବା ଲାଗି ଦୁଇ ପ୍ରତିଶତ କର୍ମଚାରୀ ସମ୍ମତି ହୋଇଛନ୍ତି । ଏଥିରୁ ସ୍ପଷ୍ଟ ଅନୁମାନ ଯେ, ଓଡ଼ିଶା ସମେତ ସମସ୍ତ ରାଜ୍ୟ କେବଳ ପୁରୁଣା ପେନସନ୍ ଚାହୁଁଛନ୍ତି । ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗରୁତର ସ୍ୱାର୍ଥ ଦୃଷ୍ଟିରୁ ପୁରୁଣା ପେନସନ ଲାଗୁ କରିଛନ୍ତି । ଅନ୍ୟ ରାଜ୍ୟ ଉତରପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ରର ରାଜ୍ୟ ସରକାରମାନେ ଏକ କମିଟି ଗଠନ କରି ପୁରୁଣା ପେନସନ୍ ଲାଗୁ କରିବାକୁ ଅଗ୍ରସର ହେଉଛନ୍ତି ।
ସବୁ ରାଜ୍ୟରେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଜୋରଦାର ବିରୋଧ ହେଉଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନସନ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଭାବୁଥିବାରୁ ତାକୁ ହାସଲ କରିବା ପାଇଁ ବ୍ଲକ, ଜିଲା ଓ ରାଜ୍ୟରେ ଆନ୍ଦୋଳନ ଜୋରଦାର ହୋଇଗଲାଣି । ଏନ୍ଏମ୍.ଓ.ପି.ଏସ୍ ଓଡ଼ିଶା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ, ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ସଂଘର ରାଜ୍ୟସଂଘ ସଭାପତି ବିଜୟ ମଲ୍ଲ, ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ରଶ୍ମୀ ପାଢୀ, ରାଜେନ୍ଦ୍ର ମଲ୍ଲିକ, ପ୍ରଦୀପ ପ୍ରଧାନ, ଶୁଭଲକ୍ଷ୍ମୀ ସ୍ୱାଇଁ, ଅଶ୍ୱିନୀ ଦାସ, କ୍ଷୀତିଶ ପଣ୍ଡା, ସୁନିଲ ପ୍ରଧାନ, ପ୍ରଶାନ୍ତ ରାଉତରାୟ ଦେବୀ ପ୍ରସନ୍ନ ଧଳ, ବିଶ୍ୱରଞ୍ଜନ ଦାସ, ବିଜୟ ସାହୁ, ମନୋରଞ୍ଜନ ସେଠୀ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
