ମୋ ବିରୁଦ୍ଧରେ ଗଲେ ଭିଜିଲାନ୍ସରେ ଧରାଇଦେବି
କେନ୍ଦ୍ରାପଡ଼ା, ୧୯/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କୁ ଶ୍ୟାମସୁନ୍ଦରପୁର ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ପିଅନ ସନ୍ତୋଷ କୁମାର କୁଣ୍ଡୁ ଭିଜିଲାନ୍ସରେ ଧରାଇ ଦେବାକୁ ଧମକ ଦେଇଛନ୍ତି । କେବଳ ପିଅନ ନୁହଁନ୍ତି ପିଅନଙ୍କ ପତ୍ନୀ ମଧ୍ୟ ବାରମ୍ବାର ଫୋନକରି ଜିଲା ଶିକ୍ଷା ଅଧିକାରୀଙ୍କୁ ବିଭିନ୍ନ ଧମକଚମକ ଦେଉଥିବା ଜିଲା ଶିକ୍ଷାଧିକାରୀ ଶ୍ରୀ ବାରିକ କହିଛନ୍ତି ।
ଜିଲା ଶିକ୍ଷାଧିକାରୀ କହିଛନ୍ତି ପିଅନ ଜଣକ ପୂର୍ବରୁ କେନ୍ଦ୍ରାପଡ଼ା ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ କାର୍ଯ୍ୟରେ ଅବହେଳା କରିବା ଓ ବିଶୃଙ୍ଖଳିତ ଆଚରଣ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ । ନିଲମ୍ବନ ହଟିବା ପରେ ତାଙ୍କୁ ମହାକାଳପଡ଼ା ବଦଳି କରାଯାଇଥିଲା । ଏହାପରେ ସେ ଶ୍ୟାମସୁନ୍ଦରପୁର ଉଚ୍ଚବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ । ତାଙ୍କ ବିରୁଦ୍ଧରେ ଏବେ ବିଭାଗୀୟ ତଦନ୍ତ ଚାଲିଛି ।
ବିଭାଗୀୟ ତଦନ୍ତ ନ କରି ତାଙ୍କୁ କ୍ଲିନ ଚିଟ୍ ଦେବ ପାଇଁ ସେ ଦାବି କରୁଛନ୍ତି । ଏଥିରେ ମୁଁ ରାଜିି ନ ହେବାରୁ ମୋତେ ଭିଜିଲାନ୍ସରେ ଧରାଇ ଦେବାର ଧମକ ଦେଉଥିବା ଜିଲା ଶିକ୍ଷାଧିକାରୀ ଶ୍ରୀ ବାରିକ କହିଛନ୍ତି । ପୂର୍ବରୁ ଦୁଇଜଣ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏହି ପିଅନ ଜଣଙ୍କ ଭିଜିଲାନ୍ସରେ ଧରାଇ ଦେଇଥିଲେ । ଏହି ସାହାସରେ ସେ ଜିଲାର ବିଭିନ୍ନ ଅଧିକାରୀଙ୍କୁ ଧମକ ଦେଉଛନ୍ତି । କେତେକ ଅଧିକାରୀଙ୍କୁ ଭିଜିଲାନ୍ସର ଧମକ ଦେଇ ବ୍ଲାକମେଲିଙ୍ଗ କରି ବହୁ ଅର୍ଥ ଆଦାୟ କରୁଥିବା ଭଳି ସଂଗୀନ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି । ଏଭଳି ଘଟଣାକୁ ନେଇ ସାରା ଜିଲାରେ ହଟଚମଟ ସୃଷ୍ଟି ହୋଇଛି ।
