ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର – ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ଭୁବନେଶ୍ୱର, ୧୧/୧୦/୨୦୨୫ (ଓଡ଼ିଶା ସମାଚାର)-  ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ହୋଇଛି । ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଜାତୀୟ ମହିଳା କମିଶନ ଟିମ୍‌ ବି ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି।
ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ବା ପୁରୁଷବନ୍ଧୁଙ୍କ ସହ ଶୁକ୍ରବାର ରାତିରେ କ୍ୟାମ୍ପସ୍‌ ବାହାରକୁ ଗୁପ୍‌ଚୁପ୍‌ ଖାଇବା ପାଇଁ ଯାଇଥିଲେ। କଲେଜ ଗେଟ୍‌ ନିକଟରେ ୪ ରୁ ୫ ଜଣ ଅଜ୍ଞାତ ଲୋକ ତାଙ୍କୁ ଛକି ରହିଥିଲେ। ସେ ମେଡିକାଲକୁ ଫେରିବା ସମୟରେ ଟାଣିନେଇ ହସ୍ପିଟାଲ ପଛପଟେ ଏକ ଶୂନଶାନ୍‌ ସ୍ଥାନରେ ଗଣବଳାତ୍କାର କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ଏବେ ଦୁର୍ଗାପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

ପୀଡ଼ିତାଙ୍କ ପରିବାର ଲୋକେ ପହଞ୍ଚିଛନ୍ତି। ପୀଡ଼ିତାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

 ଏହି ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ    ଙ୍କୁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢ଼ ଦାବି ଜଣାଇଛନ୍ତି।

ଏହି ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ସରକାରଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

https://x.com/MohanMOdisha/status/1976967187320406093

Leave a Reply

Your email address will not be published. Required fields are marked *