ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ     

ଢ଼େଙ୍କାନାଳ,୦୯/୧୦/୨୦୨୫ (ଓଡ଼ିଶା ସମାଚାର)-ଗତ ସେପ୍ଟେମ୍ବର ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାରେ ଆଇ.ଏ.ଏସ. (  ପ୍ରୋବେସନ) ଭଗତ ସାମଲ କଲ୍ୟାଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମା’ମାନେ ସୁସ୍ଥ ଜୀବନ ଯାପନ କଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରି ମହିଳା ମାନେ ନିୟମିତ ବ୍ୟାୟାମ, ସାକାରାତ୍ମକ ଆଚ଼ରଣ, ୮ ଘଣ୍ଟା ବିଶ୍ରାମ ଓ ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ସମୟରେ ଖାଦ୍ୟର ପୌଷ୍ଟିକତା କିପରି ବଜାୟ ରହିବ ସେ ସଂପର୍କରେ ବୁଝାଇ କହିଥିଲେ  । ମା’ମାନଙ୍କର ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ  ଠିକ୍ ରହିଲେ ପିଲାମାନଙ୍କର ମଧ୍ୟ ବୌଦ୍ଧିକ ବିକାଶ ଘଟିବ ବୋଲି କହିଥିଲେ ।  ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଦାଶ ସ୍ୱାଗତ ଭାଷଣ ଦେଇ ପୋଷଣ ମାସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ।

ଅତିରିକ୍ତ ଜିଲ୍ଲା ଚ଼ିକିତ୍ସା ଅଧିକାରୀ ଶ୍ରୀ ନୀଳମଣି ଦିଲ୍ଲିପ ଚାନ୍ଦ ବେହେରା, ଏନ୍. ଏଚ୍.ଏମ୍. ର ଡି.ଏମ୍. ଦିପ୍ତିମୟୀ ପ୍ରଧାନ ଗର୍ଭବତୀ ମହିଳା ଓ ଶିଶୁମାନଙ୍କର  ସ୍ୱାସ୍ଥ୍ୟ ରକ୍ଷାପାଇଁ କିପରି ଯତ୍ନବାନ ହେବେ ସେ ସଂପର୍କରେ ବର୍ଣ୍ଣନା କରିଥିଲେ। ଶିଶୁମାନଙ୍କୁ ସ୍ତନ୍ୟ ପାନ କରାଇବା ସହ ଚ଼ିନି, ଲୁଣ, ତେଲ ବ୍ୟବହାର କମ୍ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଫାଷ୍ଟ ଫୁଡ଼୍ ଠାରୁ ଦୂରେଇ ରହି ସାଧାରଣ ଖାଦ୍ୟ, ପନିପରିବା ଓ ଫଳ ମୂଳ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି କର୍ମଶାଳା ଆୟୋଜନରେ ଡ଼ି.ପି.ସି.(ମମତା) ଶ୍ରୀ ଟୁନା ନାୟକ ଏବଂ ଡ଼ି.ସି. (ପୋଷଣ) ଶ୍ରୀ ଅଭିମନ୍ୟୁ ପ୍ରଧାନ ସହଯୋଗ କରିଥିଲେ। ଏହି କର୍ମଶାଳାରେ ସମସ୍ତ ବ୍ଲକର ସି.ଡ଼ି.ପି.ଓ., ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇ ପୌଷ୍ଟିକ ଆହାର ସାମଗ୍ରୀର ପ୍ରଦର୍ଶନୀ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ସତ୍ୟନାରାୟଣ କର ସଂଯୋଜନା କରିଥିଲେ । ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପଙ୍କଜିନୀ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *