କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡ଼ି କୁମାର ସ୍ୱାମୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ  ମାଝୀ ଓ ସାଂସଦ ଡ଼ଃ ରବିନାରାୟଣ ବେହେରା ଙ୍କ ଆଲୋଚନା

ଭୁବନେଶ୍ୱର, ୦୭/୦୮/୨୦୨୫ (ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଯାଜପୁର ସାଂସଦ ଡ଼ଃ ରବିନାରାୟଣ ବେହେରା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡ଼ି କୁମାର ସ୍ୱାମୀଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ଭେଟିଥିଲେ। ରାଜ୍ୟର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ତଥା ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ, ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଆଦି ବିଷୟରେ ଆଲୋଚନା କରିଥିଲେ । ଏତଦ୍ ବ୍ୟତିତ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ସ୍ଥାନାନ୍ତରଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ପ୍ରକାଶ ଥାଉକି ମାନ୍ୟବର ମୁଖ୍ୟମନ୍ତ୍ରୀ କିଛିଦିନ ତଳେ ମଧ୍ୟ ମାନ୍ୟବର ଇସ୍ପାତ ମନ୍ତ୍ରୀଙ୍କୁ ଇସ୍ପାତ ପ୍ରତିଷ୍ଠାନ କଳିଙ୍ଗନଗରରୁ ରାଉରକେଲା ସ୍ଥାନାନ୍ତରଣ ବାତିଲ ପାଇଁ ଏକ ପତ୍ର ଲେଖିଥିଲେ । ଏହି ପରିପ୍ରେକ୍ଷିରେ ସାକ୍ଷାତ ସମୟରେ ଆଲୋଚନା ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସମନ୍ଵୟରେ କଳିଙ୍ଗନଗର ଠାରେ ବିଜୁ ପଟ୍ଟନାୟକ ଜାତୀୟ ଇଷ୍ପାତ ପ୍ରତିଷ୍ଠାନକୁ Centre of excellence କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଭିତ୍ତିଭୂମି ନିର୍ମାଣ ଓ ଅସ୍ଥାୟୀ କ୍ୟାମ୍ପସ୍ ପାଇଁ ଆନୁସଙ୍ଗିକ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ମାନ୍ୟବର ଇସ୍ପାତ ମନ୍ତ୍ରୀ ଗୁରୁତ୍ତର ସହ ବିଚାର କରି ବିଭାଗୀୟ ଅଧିକାରୀଙ୍କୁ ଇସ୍ପାତ ପ୍ରତିଷ୍ଠାନର ସ୍ଥାନାନ୍ତରଣ ଆଦେଶକୁ ବାତିଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଲୋଚନାରେ ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଦୟା ନିଧନ ପାଣ୍ଡେ ପ୍ରମୁଖ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *