ନୂଆପଡା ବିଧାନସଭା ଉପ ନିର୍ବାଚନ ନଭେମ୍ବର ୧୧ରେ  : ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁହେଲା

ଭୁବନେଶ୍ୱର,୦୬/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ନୂଆପଡା ବିଧାନସଭା ଉପ ନିର୍ବାଚନ ଓ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁହେବା ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ସନ୍ଥ ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନଭେମ୍ବର ୧୧ ତାରିଖରେ ମତଦାନ ହେବ ।  ନଭେମ୍ବର ୧୪ରେ ଭୋଟ ଗଣତି  କରାଯିବ।

ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସୂଚନା ଅନୁଯାୟୀ   ଆସନ୍ତା୧୩ରେ ନୂଆପଡ଼ା ଉପନିର୍ବାଚନ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।  ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି। ଏହା ପରେ ନଭେମ୍ବର ୧୧ରେ ମତଦାନ ଏବଂ ନଭେମ୍ବର ୧୪ରେ ଭୋଟ୍ ଗଣତି ରହିଛି।

 ନୂଆପଡା ନିର୍ବାଚନ ମଣ୍ଡଳୀ ଅଧୀନରେ ମୋଟ ୩୫୮ ମତଦାନ କେନ୍ଦ୍ର ଅଛି। ସମସ୍ତ ବୁଥ୍ ରେ ୱେବ କାଷ୍ଟିଂ ବ୍ୟବସ୍ଥା କରାଯିବ । ଅପରାଧିକ ମାମଲାରେ ଜଡ଼ିତ ଥିବା ପ୍ରାର୍ଥିୀ ମାନଙ୍କୁ ଏ ସମ୍ବନ୍ଧରେ ୩ ଥର ସମ୍ବାଦପତ୍ର ଓ ଟିଭି ମାଧ୍ୟମରେ ସୂଚନା ଦେବାକୁ ପଡ଼ିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା  ଦେଇଛନ୍ତି ।

ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ସାହୁ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ପରେ ଏହି ଉପନିର୍ବାଚନ ହେଉଛି। ୨୦୨୫ ସେପ୍ଟେମ୍ବର ୮ ରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *