ବିରସ୍ୱତୀ ୟୁଜିୟୁପିରେ “ଆମ ଗାଁ ପାଠଶାଳା”

କେନ୍ଦ୍ରାପଡ଼ା, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)-  ବାଲିଆସ୍ଥିତ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଟାନ ଆନୁକୂଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଂଚାୟତର ବିରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଆମ ଗାଁ ପାଠଶାଳା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କରେ ସ୍ଥାନୀୟ ଗ୍ରାମ ଗୁଡିକରେ ସଙ୍କୀର୍ତନ, ଖଞ୍ଜଣୀ ଭଜନ, ରଥ ପରିକ୍ରମା ଓ ଘୋଡାନାଚ ମାଧ୍ୟମରେ ସଚେତନତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମା’ମାନଙ୍କୁ ନେଇ ଏକ କଳସ ଯାତ୍ରା ସଚେତନତା ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷୟିତ୍ରୀ କାକୁଲୀ ମଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଦ୍ୱାରା ରୂପାନ୍ତରିକରଣ ହୋଇଥିବା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବାକୁ ଆହ୍ୱାନ ଦେବା ସହ ବିଦ୍ୟାଳୟର ସୁସ୍ଥ ଓ ସୁନ୍ଦର ବାତାବରଣକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଯୋଗଦେଇ କିଭଳି ତାଙ୍କ ମା’ ପାଠ ନପଢି ମଧ୍ୟ ତାଙ୍କୁ ପ୍ରତ୍ୟେହ ଟୁ୍ୟସନ କରୁଥିବାରୁ ସେ ଆଜି ଉଚ୍ଚ ଶିକ୍ଷିତ ହୋଇ ସଫଳତାର ଉଚ୍ଚ ସୋପାନରେ ପହଂଚି ପାରିଛନ୍ତି ସେ ସମ୍ପର୍କରେ ଉଲେଖ କରି ଛାତ୍ରଛାତ୍ରୀଙ୍କ ମା’ମାନଙ୍କୁ ଟିଭି ଦେଖିବା ସମୟରୁ କିଛି ସମୟ ଦେଇ ସେମାନଙ୍କ ପିଲାମାନଙ୍କ ସହ ପାଠ ସମ୍ପର୍କରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ଏଭଳି କଲେ ପିଲାମାନେ ଭବିଷ୍ୟତରେ ବଡ ମଣିଷ ହୋଇପାରିବେ ବୋଲି ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର୍ର, ସରପ ପ୍ରସନ୍ନ କୁମାର ରାଉତ, ସମିତିସଭ୍ୟା ରାଜ ଅମାନତ, କଂସାର ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ଖଟୁଆ, ଗ୍ରାମ୍ୟ ଶିକ୍ଷା କମିଟି ସଭାପତି ସୁବାଷ ଜେନା, ଡି.ଆଇ.ଇ.ଟି.ର ସୁନିତା ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସପ୍ତାହ ପାଳିତ ହେଉଥିବା ପରିପ୍ରେକ୍ଷୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଭାଷା ଓ ଗଣିତ ଉପରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର ୧୮ଜଣ କୃତି ପ୍ରତିଯୋଗୀଙ୍କ ସମେତ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ଚିତ୍ରକଳା ପ୍ରତିଯୋଗିତାରେ ଜିଲା ସ୍ତରରେ ଏବଂ ଆନ୍ତର୍ଜାତୀୟ ବାଳିକା ଦିବସରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟିକା ପରିବେଷଣ ସହ ପଣିକିଆ ଗିତ, ଆମେ ସ୍କୁଲ ଯିବା ସମବେତ ନୃତ୍ୟ ପରିବେଷଣ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ରତ୍ନମାଳୀ ପଣ୍ଡା କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷୟିତ୍ରୀ କାକୁଲି ମଲିକ ସ୍ୱାଗତ ଭାଷଣ ଓ ଶିକ୍ଷୟିତ୍ରୀ ସଂଜ୍ଞାସାଗରିକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ରେଣୁକା ଭୋଳ, ନନ୍ଦିନୀ ଶତପଥୀ, ଶୁଭଲକ୍ଷ୍ମୀ ପତ୍ରୀ, ଶିକ୍ଷକ ପ୍ରିୟବ୍ରତ ମହାରଣା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *